ଓଡିଶା

odisha

ETV Bharat / state

ବିଜେଡି ନେତାଙ୍କ ବୋହୂଙ୍କ ଦୁଃଖ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଗ୍ନି ପରୀକ୍ଷା: ନରସିଂହ - ବିଜେଡି ବିଧାୟକ ଶଶୀଭୂଷଣ ବେହେରା

ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଏବଂ ବଲାଙ୍ଗୀର ରାଜ ପରିବାର ବିରୋଧରେ ଆସିଥିବା ଘରୋଇ ହିଂସା ଓ ଯୌତୁକ ଜନିତ ନିର୍ଯାତନା ମାମଲା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଗ୍ନି ପରୀକ୍ଷା ବୋଲି କହିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

ବିଜେଡି ନେତାଙ୍କ ବିରୋଧରେ ଅଭିଯୋଗକୁ ନେଇ ଏମିତି କହିଲେ ନରସିଂହ
ବିଜେଡି ନେତାଙ୍କ ବିରୋଧରେ ଅଭିଯୋଗକୁ ନେଇ ଏମିତି କହିଲେ ନରସିଂହ

By

Published : May 17, 2023, 6:38 PM IST

ବିଜେଡି ନେତାଙ୍କ ବିରୋଧରେ ଅଭିଯୋଗକୁ ନେଇ ଏମିତି କହିଲେ ନରସିଂହ

ଭୁବନେଶ୍ବର: ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଏବଂ ବଲାଙ୍ଗୀର ରାଜ ପରିବାର ବିରୋଧରେ ଯୌତୁକ ଜନିତ ନିର୍ଯାତନା ମାମଲା ଧିରେଧିରେ ସଙ୍ଗୀନ ହେବାରେ ଲାଗିଛି । ଗାଁକୁ କାମ ମାଆକୁ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ ବସିଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଆଜି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଟାର୍ଗେଟ କରିଛି । ବିଜେପି ମହିଳା ସଭାନେତ୍ରୀ ବିଜେଡି ଉପରେ ବର୍ଷିଚ୍ଛନ୍ତି । ସେପଟେ ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଥିଲେ, ନା ସତରେ ନାରୀଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କର ଆନ୍ତରିକତା ରହିଛି, ତାହା ଏବେ ଜଣାପଡିବ ବୋଲି କହିଛନ୍ତି ନରସିଂହ ମିଶ୍ର ।

ଦୁଇ ଦୁଇ ଜଣ ବିଜେଡି ନେତାଙ୍କ ବିରୋଧରେ ପାରିବାରିକ ହିଂସା ତଥା ଯୌତୁକ ଜନିତ ନିର୍ଯାତନା ଅଭିଯୋଗ ଆସିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ରାଜ୍ୟରେ ମହିଳାମାନେ ଅସୁରକ୍ଷିତ । ନାରୀ ନିର୍ଯାତନା କ୍ଷେତ୍ରରେ ସାରା ଦେଶରେ ଓଡିଶା ୨ ନମ୍ବର ସ୍ଥାନରେ ରହିଛି । ଏବେ ଯେଉଁଭଳି ଭାବରେ ବିଜେଡି ନେତାଙ୍କ ବୋହୂ ଗଣମାଧ୍ୟମ ଆଗରେ ଦୁଃଖ ବଖାଣୁଛନ୍ତି, ଏହା ନିଶ୍ଚିନ୍ତ ରୂପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଅଗ୍ନି ପରୀକ୍ଷା । ଏବେ ଜଣାପଡିବ ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଥିଲେ, ନା ସତରେ ନାରୀଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କର ଆନ୍ତରିକତା ରହିଛି । ଭୟଙ୍କର ଅଭିଯୋଗ ଆସିଛି । ଯଦି ଅଭିଯୋଗ ସତ ହୁଏ, ତେବେ ଏହା ସାଙ୍ଘାତିକ । ରାଜ୍ୟରେ ବିଭିନ୍ନ ସମୟରେ ନାରୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି ।

ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା । ରାଜ୍ୟ ବିଜେପି ମହିଳା ସଭାନେତ୍ରୀ କହିଥିଲେ, "ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ? ମହିଳା ସଶକ୍ତୀକରଣ କଥା କହୁଛନ୍ତି, ମାତ୍ର ନ୍ୟାୟ ଦେବାରେ ବିଫଳ । ବିଧାୟକ ଶଶିଭୂଷଣଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅର୍କେଶ ନାରାୟଣ ସିଂହଦେଓଙ୍କ ନାଁରେ ମଧ୍ୟ ସମାନ ଅଭିଯୋଗ । ବିଧାୟକ ବିଜୟଶଙ୍କରଙ୍କ ନାଁରେ ବାନ୍ଧବୀଙ୍କ ଯୌନ ନିର୍ଯାତନା ଅଭିଯୋଗ । ମୁଖ୍ୟମନ୍ତ୍ରୀ ଏ ବାବଦରେ ଜାଣିଛନ୍ତି ତ ? ତା'ହେଲେ ଚୁପ୍‌ କାହିଁକି ?"

ପ୍ରକାଶ ଥାଉ କି, ବଲାଙ୍ଗୀର ରାଜ ପରିବାରର ମୁଖିଆ ଅନଙ୍ଗଉଦୟ ସିଂହଦେଓ ଏବଂ ତାଙ୍କ ପୁଅ ତଥା ବିଜେଡି ନେତା ଅର୍କଶ ନାରାୟଣ ସିଂହଦେଓଙ୍କ ବିରୋଧରେ ଅର୍କେଶଙ୍କ ପତ୍ନୀ ଘରୋଇ ହିଂସାର ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏହାପରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ତାଙ୍କ ପୁଅଙ୍କ ବିରୋଧରେ ମଧ୍ୟ ଶଶୀଙ୍କ ବୋହୂ ଯୌତୁକ ଜନିତ ନିର୍ଯାତନା ନେଇ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ବିରୋଧୀ ଶାସକ ଦଳକୁ ଘେରିଛନ୍ତି । ଆଗକୁ ଦେଖିବାକୁ ବାକି ରହିଲା, ବିଜେଡି ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details