ବିଜେଡିରେ ମିଶିଲେ କଂଗ୍ରେସ ନେତା ମହେନ୍ଦ୍ର ନାୟକ ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜୁ ଜନତା ଦଳ । ୧ ଲକ୍ଷରୁ ଅଧିକା ଭୋଟ ବ୍ୟବଧାନରେ ବାଜିମାତ କରିବା ପାଇଁ କଳ, ବଳ ଓ କୌଶଳ ଆପଣେଇଛି ବିଜେଡି । ଏଥିପାଇଁ ବିରୋଧି ଗଡ ଭାଙ୍ଗିବା ସହ ବିରୋଧି ନେତାମାନଙ୍କୁ ନିଜ ସହ ଯୋଡୁଛି ବିଜେଡି । ଏହି କ୍ରମରେ ୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡାରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାୟକ ଓ ତାଙ୍କ ସମର୍ଥକଙ୍କୁ ଦଳରେ ସାମିଲ କରିଛି ବିଜେଡି ।
ଶକ୍ତି ଗୋଟାଉଛି ବିଜୁ ଜନତା ଦଳ । ନିଜ ଦଳ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି ବିରୋଧି ଦଳର ନେତା ଓ କର୍ମୀ । ଝାରସୁଗୁଡ଼ାରେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ମିଶ୍ରଣ କାର୍ଯ୍ୟକ୍ରମ । ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମହେନ୍ଦ୍ର ବିଜେଡିରେ ସାମିଲ ହୋଇଛନ୍ତି । ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ମହେନ୍ଦ୍ର ନାୟକ । ମହେନ୍ଦ୍ରଙ୍କୁ ବିଜେଡି ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି ମାନସ ।
ମହେନ୍ଦ୍ର ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପାର୍ଥି ହୋଇଥିଲେ । ନବ ଦାସଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ସେ ୨୦୧୯ ନିର୍ବାଚନରେ ୧୮ ହଜାର ୮୨୩ ଖଣ୍ଡ ଭୋଟ ପାଇଥିଲେ । ଅଖିଳ ଭାରତୀୟ ଗଣ୍ଡ ମହାସଭାର ସଭାପତି ଅଛନ୍ତି ମହେନ୍ଦ୍ର ନାୟକ । ତାଙ୍କ ସହ ପ୍ରାୟ ୬୦ରୁ ଊର୍ଦ୍ଧ୍ବ ଗଣ୍ଡ ମହାସଭାର କର୍ମକର୍ତ୍ତା ମଧ୍ୟ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ସାଧାରଣ ସମ୍ପାଦକ ଅମରେଶ ଜେନା, ବିଜେଡି ନେତା ମହେନ୍ଦ୍ର ବଢ଼େଇ, ମୁଖପାତ୍ର ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ନେଇ ମହେନ୍ଦ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏହି ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡିରେ ସାମିଲ ହୋଇଛି । ନିର୍ବାଚନ ଲଢ଼ିବା ଉଦ୍ଦେଶ୍ୟ ନୁହେଁ । ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ବାସ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଲାଗି ବହୁତ କାର୍ଯ୍ୟକ୍ରମ କରୁଛନ୍ତି । ବିକାଶ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଆଶା ଅଛି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବୁ । ଝାରସୁଗୁଡା ଜିଲ୍ଲାରେ ଆଦିବାସୀ ଭୋଟରଙ୍କ ସମର୍ଥନ ଦୀପାଳି ଦାସଙ୍କ ସହ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର