ଓଡିଶା

odisha

By

Published : May 8, 2023, 8:42 PM IST

Updated : May 8, 2023, 9:32 PM IST

ETV Bharat / state

କଂଗ୍ରେସରେ ୯ ବିଧାୟକ, ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଚିରଞ୍ଜୀବ ବିଶ୍ବାଳ

ପୁଣି ପଦାରେ ପଡ଼ିଲା କଂଗ୍ରେସର ଦଳୀୟ କନ୍ଦଳ । ସ୍ବର୍ଗତ ଜାନକୀ ପଟ୍ଟନାୟକ ଓ ବସନ୍ତ ବିଶ୍ବାଳଙ୍କ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ପିସିସି ସଭାପତିଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ । ସେପଟେ ବିଜେପି ବିରୋଧୀ ଦଳ ହୋଇ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ କାର୍ଯ୍ୟକ୍ରମ
ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ କାର୍ଯ୍ୟକ୍ରମ

କଂଗ୍ରେସରେ ୯ ବିଧାୟକ, ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଭୁବନେଶ୍ବର: ପୁଣି ପଦାରେ ପଡିଲା କଂଗ୍ରେସର ପୁରୁଣା ରୋଗ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟ ଓ ବସନ୍ତ ବିଶ୍ବାଳଙ୍କ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ । ସେପଟେ ବିଜେପି ବିରୋଧୀ ଦଳ ହୋଇ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଏହି କାର୍ଯ୍ୟକ୍ରମରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସିଧା ନିଶାନା କରିଛନ୍ତି ଚିରଞ୍ଜୀବ । ଯାହା କଂଗ୍ରେସ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ଯାହା ପ୍ରମାଣିତ କରିଛି କଂଗ୍ରେସର ପୁରୁଣା ରୋଗ ପୁଣି ବାହାରିଛି । ଚିରଞ୍ଜୀବ କହିଛନ୍ତି, "ଆମ ଦଳର ଗୋଟେ ପ୍ରଥା ଅଛି ଯିଏ ସଭାପତି ହେଇଯିବ ସିଏ ଆଉ କାହା କଥା ଶୁଣିବ ନାହିଁ । ୯ରୁ ୯୦ ଆସନ ପାଇଁ ସଂକଳ୍ପ କରିଛି କଂଗ୍ରେସ । ହେଲେ ୧୪୭ଟି ଆସନରେ ପ୍ରାର୍ଥୀ ଦେଇ ପାରିବ ନାହିଁ । ଏବେ ଦଳରେ କେବଳ ୯ ଜଣ ବିଧାୟକ ଥିଲେ ମଧ୍ୟ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି ।" ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "କଂଗ୍ରେସ ଶାସନ ବେଳେ ଓଡ଼ିଶାର ଆୟ ଅଧିକ ଥିଲା । ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ମଦରୁ ୮ ହଜାର କୋଟି ଟଙ୍କା ରାଜସ୍ବ ଆସୁଛି । ଖଣିରେ ଅନେକ ଟଙ୍କା ରାଜସ୍ବକୁ ଆସୁଛି । କିନ୍ତୁ ଯାଉଛି କୁଆଡେ । ରାଜ୍ୟରେ ବର୍ତ୍ତମାନ ବେକାରୀ ସଂଖ୍ୟା ବୃଦ୍ଧି ପାଉଛି । ପାଖାପାଖି ୬୦ ହଜାରରୁ ଊର୍ଦ୍ଧ୍ବ ଲୋକେ ବାହାରେ ଦାଦନ ଖଟୁଛନ୍ତି । 5Tରେ ରଙ୍ଗ ବୋଳା କାମ ଚାଲିଛି । ଏହି ୨୩ ବର୍ଷ ଭିତରେ ରାଜ୍ୟ ସରକାର ଭୋଟ ଲୋଭରେ କେବଳ କାଳିଆ ବଳିଆ ଯୋଜନା କରିଛନ୍ତି ।" ଏବେ ମନ୍ତ୍ରୀ ମାନଙ୍କ ହାତରେ ଶିକୁଳି ବନ୍ଧା ଯାଇଛି ବୋଲି ନିରଞ୍ଜନ କହିଛନ୍ତି ।

କାର୍ଯ୍ୟକ୍ରମର ଆୟୋଜକ ମହମ୍ମଦ ମୋକିମ କହିଛନ୍ତି, "ରାଇରଙ୍ଗପୁର ଗସ୍ତ ବେଳେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ୯ ମିନିଟ୍ ଲାଇନ୍ କଟିଗଲା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ନିଶ୍ଚୟ ପ୍ରୋଟୋକଲ ଅନୁସାରେ ସବୁ ବିଭାଗ ସହ ସମୀକ୍ଷା ବୈଠକ ହୋଇଥିବ । ଯଦି ଜାନକୀ ବାବୁ କିମ୍ବା ବସନ୍ତ ବାବୁ ଏବେ ମୁଖ୍ୟମନ୍ତ୍ରୀ ଥାନ୍ତେ, ତାହେଲେ ଏହି ଘଟଣାରେ ଜିଲ୍ଲାପାଳ ନିଲମ୍ବିତ ହୋଇ ସାରନ୍ତେଣି ।" ସେହିଭଳି ବରିଷ୍ଠ ସାମ୍ବାଦିକ ରବିଦାସ କହିଛନ୍ତି, "କଂଗ୍ରେସ ଦଳକୁ ବଞ୍ଚାଇବାକୁ ହେଲେ ମୋକିମ୍ ବାବୁଙ୍କୁ ଦାୟିତ୍ଵ ଦେବାକୁ ହେବ । ସେ ଏବେ ଓଡ଼ିଶା କଂଗ୍ରେସ ସମ୍ଭାଳିବା ପାଇଁ ଯୋଗ୍ୟ ନେତା । ତାଙ୍କ ପାଖରେ ସବୁ ଅଛି । ଓଡ଼ିଶାର ଯେଉଁମାନେ କଂଗ୍ରେସ ପ୍ରଭାରୀ ହେଉଛନ୍ତି ସେମାନେ କାହିଁକି ହେଉଛନ୍ତି, ଆସୁଛନ୍ତି ଜଣା ନାହିଁ । ସେମାନେ କାମ ବେଳେ ଆସୁନାହାନ୍ତି । ନିୟମିତ ଗସ୍ତ କରୁନାହାନ୍ତି କିମ୍ବା ଭଲ ମନ୍ଦ ବୁଝୁ ନାହାନ୍ତି ।" ଏପରି ପ୍ରଭାରୀ ହୋଇ ଲାଭ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, "ମୁଁ କୌଣସି ଦଳୀୟ ଲୋକ ହିସାବରେ ଭାଗ ନେଇନାହିଁ । ମୁଁ କଟକ ବିଧାୟକ ମୋକିମ୍ ବାବୁଙ୍କ ଅନୁରୋଧ ରକ୍ଷା କରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛି । ଜାନକୀ ବାବୁଙ୍କ ଜ୍ବାଇଁ ହିସାବରେ ମୋତେ ଯେତିକି ନିର୍ଯାତନା ଦିଆଯାଇଛି, ମୁଁ କେବେ ଭୁଲି ପାରିବି ନାହିଁ । ମାପକାଠି ବଦଳିଗଲାଣି । ସେତେବେଳେ ଶାସନରେ ସ୍ଵାଧୀନତା ଥିଲା । ବର୍ତ୍ତମାନ ସରକାର ସ୍ଥିର କିନ୍ତୁ ପ୍ରଶାସକ ମାନେ ଅସ୍ଥିର । ନରେନ୍ଦ୍ର ମୋଦି ହୁଅନ୍ତୁ କିମ୍ବା ନବୀନ ପଟ୍ଟନାୟକ ହୁଅନ୍ତୁ, ସେମାନେ ରାଜନୀତି କରନ୍ତି କେବଳ ଜିତିବା ପାଇଁ । ଖାଲି ମିଛରେ ଲୋକ ସେବା ଦେଖାନ୍ତି । ନିର୍ବାଚନ ଜିତିବାକୁ ହେଲେ ଖାଲି ପଇସା ଦରକାର । ଓଡ଼ିଶାରେ ବିରୋଧୀ ଦଳ ଅଛି କି ନାହିଁ ତାହା ଜଣା ପଡୁନାହିଁ । ବିଜେପିର ସମସ୍ତ ପ୍ରସ୍ତାବରେ ସମର୍ଥନ କରୁଛି ବିଜେଡି । ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯଦି ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି ପୂର୍ବରୁ ଥିଲା, ତେବେ ବର୍ତ୍ତମାନ ଶାସନରେ ଯୋଡ଼ି କିଏ ? ଗଣମାଧ୍ୟମ ଗୁଡ଼ିକ ବର୍ତ୍ତମାନ ସଙ୍କୁଚିତ ଅବସ୍ଥାରେ ପଡ଼ି ରହିଛନ୍ତି । ମନ୍ତ୍ରୀ ମାନେ ବର୍ତ୍ତମାନ ଦୃଶ୍ୟମାନ ହେଉ ନାହାନ୍ତି । ଖବର କାଗଜରେ କେବଳ ପ୍ରଶାସନିକ ଅଧିକାରୀ ମାନେ ସ୍ଥାନ ପାଉଛନ୍ତି । ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ ରହିବା କଥା । ଆଜି ବିରୋଧୀ ଦଳ ଦୃଢ଼ ଥିଲେ କ୍ଷମତାସୀନ ସରକାର ଦୁର୍ନୀତି କରି ପାରିନଥାନ୍ତା । ବିଜେପି ଦଳ ବିରୋଧୀ ହେଇପାରିବ ନାହିଁ । କିନ୍ତୁ କଂଗ୍ରେସ ଦଳ ପାଖରେ ସେତିକି କ୍ଷମତା ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : May 8, 2023, 9:32 PM IST

ABOUT THE AUTHOR

...view details