ଓଡିଶା

odisha

ETV Bharat / state

ଓଡ଼ିଶାରେ ପାଦ ଦଉ ଦଉ ସରକାରଙ୍କୁ ବିଜୟଙ୍କ ଟାର୍ଗେଟ୍, କହିଲେ ପରିବର୍ତ୍ତନ ଆବଶ୍ୟକ - ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଦିଲ୍ଲୀ AICC କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହେବା ପରେ ଓଡ଼ିଶା ଫେରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ବିମାନ ବନ୍ଦରରୁ ବିଜୟଙ୍କୁ ସ୍ବାଗତ କରି ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ନେଲେ କର୍ମୀ । କଂଗ୍ରେସ ଭବନରେ ପହଞ୍ଚିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜୟ ପଟ୍ଟନାୟକ
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜୟ ପଟ୍ଟନାୟକ

By

Published : Feb 13, 2023, 6:37 PM IST

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ବର: AICC କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହେବା ପରେ ଓଡ଼ିଶା ଫେରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯାଇଥିଲା । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଉପସ୍ଥିତ ରହି ବିଜୟଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । କଂଗ୍ରେସ ଭବନରେ ପହଞ୍ଚିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ ।

ଓଡ଼ିଶା ଫେରିବା ପରେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବିଜୟଙ୍କୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ କଂଗ୍ରେସ ନେତା ଓ କର୍ମୀ । ଏହାପରେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନ ଉପରେ ବର୍ଷିଛନ୍ତି ବିଜୟ ପଟ୍ଟନାୟକ । କଂଗ୍ରେସ ଭବନରେ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି, "ମୁଁ ପ୍ରଥମ ଥର ପାଇଁ ରାଜନୀତିରେ ଯୋଗ ଦେଇଛି । କଂଗ୍ରେସ ଦଳ ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିବି । ବର୍ତ୍ତମାନ ଶାସନ ଓ ପ୍ରଶାସନ ଯେଉଁଭଳି ଭାବରେ ଚାଲିଛି, ଏଠାରେ ମୁକ ଭାବରେ ବସିକି ଦେଖିବା ମୋ ପାଇଁ ସମ୍ଭବପର ନଥିଲା । ବର୍ତ୍ତମାନ ସରକାରରେ ବିଧାୟକମାନେ କହୁଛନ୍ତି ଆମ ହାତରେ କିଛି ନାହିଁ । ସବୁ ତୃତୀୟ ମହଲା କରୁଛି ।" ତେବେ ଏହି ତୃତୀୟ ମହଲା କାହା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଏହାସହ ସାମ୍ବାଦିକମାନଙ୍କ ଉପରେ ସରକାର ଯେଉଁ ଅଙ୍କୁଶ ଲଗାଇଛନ୍ତି ତାହା ମଧ୍ୟ ଅଗଣତାନ୍ତ୍ରିକ ବୋଲି ବିଜୟ କହିଛନ୍ତି ।

ଯେଉଁଠି ସରକାରଙ୍କୁ ସାଧାରଣ ଲୋକଟିଏ ଗୁହାରି କରିପାରିବ ନାହିଁ ତେବେ ଏହାକୁ ଆମେ ଗଣତନ୍ତ୍ର ବୋଲି କେମିତି କହିବା ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ । ସେ କହିଛନ୍ତି, "ଯଦି କୌଣସି ଲୋକ କ୍ଷମତା ବିପକ୍ଷରେ ସ୍ବର ଉଠାଇପାରିବ ନାହିଁ, ତେବେ ଦୁର୍ନୀତି ତ ନିଶ୍ଚିତ ବଢିବ । ବିଜେଡି ସରକାରରେ ଘର, ଭତ୍ତା ସହ ସମସ୍ତ ସରକାରୀ କାମ ପାଇଁ ସାଧାରଣ ଲୋକଙ୍କୁ ହାତଗୁଞ୍ଜା ଦେବାକୁ ପଡୁଛି । ସେଥିପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡିବ । ଓଡ଼ିଶାରେ ଓଡ଼ିଆମାନେ ହିଁ ନିର୍ଯାତିତ । ଚାକିରୀର ବ୍ୟବସ୍ଥା ନାହିଁ । ବେରୋଜଗାରୀ ବଢ଼ି ଚାଲିଛି । ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଓଡ଼ିଆ ଯୁବଗୋଷ୍ଠୀ । ଆଇନ ଶୃଙ୍ଖଳା ମଧ୍ୟ ରାଜ୍ୟରେ ବିଗିଡି ଗଲାଣି । ଦିବାଲୋକରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ତାଙ୍କର ନିର୍ବାଚନ ମଣ୍ଡଳୀରେ ହିଁ ତାଙ୍କୁ ହତ୍ୟା କରାଗଲା । ଯେଉଁ ASI ମନ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ବୋଲି କୁହାଯାଉଛି ମୋତେ ଲାଗୁଛି କେବଳ ସେ ହିଁ ତାଙ୍କୁ ମାରିନାହାନ୍ତି ।" ଯଦି କ୍ରାଇମବ୍ରାଞ୍ଚ ତଦନ୍ତ ଠିକ ଭାବରେ କରିପାରୁନି, ତେବେ CBIକୁ ଏହି ମାମଲାର ତଦନ୍ତ ଭାର ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି ।

ନିଜର ରାଜନୈତିକ ଆରମ୍ଭକୁ ନେଇ ବିଜୟ କହିଛନ୍ତି, "ରାଜ୍ୟ କଂଗ୍ରେସରେ ମୁଁ ଜଣେ ନିଷ୍ଠାପର କର୍ମୀ ହୋଇ ରହିବି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦଳ ଅଧିକ ସଂଗଠିତ କରିବା ପାଇଁ ଚେଷ୍ଟା କରିବି । ମୁଁ ଯେଉଁ ନବୀନ ପଟ୍ଟନାୟକଙ୍କ ସହ କାମ କରିଥିଲି, ଏବେର ନବୀନ ପଟ୍ଟନାୟକ ଭିତରେ ବହୁତ ଫରକ ଦେଖୁଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଓଡ଼ିଆ ଏକାଠି ହୁଅନ୍ତୁ । ଓଡ଼ିଆ ହେଉଛି ଦରିଦ୍ର ରାଜ୍ୟ । ତଳ ଆଡୁ ନୁହେଁ ଉପର ଆଡୁ ଆମେ ରହିବା । ଆଗାମୀ ବର୍ଷ ଆପଣମାନଙ୍କର ବର୍ଷ । 5T ଏକ ସ୍ଲୋଗାନ । ଯଦି ସଚିବାଳୟରେ ପ୍ରବେଶ ନାହିଁ, ତେବେ 5T କୁଆଡୁ ଆସିଲା । ତଳିଆ କର୍ମଚାରୀଙ୍କୁ ଭିଜିଲାନ୍ସରେ ଗିରଫ କରାଯାଉଛି, ହେଲେ ବଡ଼ ଅଫିସରମାନଙ୍କ ଉପରେ କାହାର ନଜର ନାହିଁ । ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ କରିବାକୁ ବାରଣ କରାଯାଉଛି । ଭୁବନେଶ୍ବରରେ ସଚିବାଳୟ, ପୋଲିସ ମୁଖ୍ୟାଳୟ, ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ବାରଣ କରାଯିବା ଅତ୍ୟନ୍ତ ଦୁଃଖଦ । ଯାହା ସ୍ପଷ୍ଟ ପ୍ରମାଣିତ କରୁଛି ରାଜ୍ୟରେ ପ୍ରଶାସନ ବ୍ୟବସ୍ଥା କେମିତି । ଓଡ଼ିଶାରେ ଓଡ଼ିଆମାନେ ନିର୍ଯାତିତ ହେଉଛନ୍ତି । ସି କ୍ଲାସ କଣ୍ଟ୍ରାକ୍ଟର ଅବହେଳିତ ହେଉଛନ୍ତି । ବାହାରୁ ଆସି ଅଣ ଓଡିଆ ଠିକାଦାର କାମ କଲେ ଓଡ଼ିଆ ଯିବେ କୁଆଡେ । ଶିଳ୍ପ ନାଁରେ କୋଟି କୋଟି ଟଙ୍କା ପୁଞ୍ଜିନିବେଶ ହେଉଛି ।" ହେଲେ କେତେ ଓଡ଼ିଆଙ୍କୁ ରୋଜଗାର ଦିଆଯାଉଛି ତାର ହିସାବ ସରକାରଙ୍କ ପାଖରେ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details