ବାଲେଶ୍ବର: ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ସାରା ବିଶ୍ବରେ ଶୋକର ଛାୟା ଖେଳାଇ ଦେଇଛି । ହଜାରରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହେଲେ ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଆବଶ୍ୟକୀୟ ଡାକ୍ତର ନାହାନ୍ତି । ହସ୍ପିଟାଲେ ଭିତ୍ତିଭୂମିର ଅଭାବ ରହିଛି । ଫଳରେ ଆହତ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଉନ୍ନତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ । ଦୁର୍ଘଟଣା ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଯାତ୍ରୀଙ୍କୁ ଭେଟିବା ସମୟରେ ଏଭଳି ଅଭିଯୋଗ ଆଣିଛନ୍ତି ଓଡି଼ଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର ।
ଶନିବାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ସେମାନଙ୍କ ସହ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହରା, ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ପ୍ରମୁଖ ଉପସ୍ଥିତ ରହିଥିଲେ । କଂଗ୍ରେସ ନେତାମାନେ ପ୍ରଥମେ ଘଟଣାସ୍ଥଳକୁ ଯିବା ପରେ ବାଲେଶ୍ବର ଡାକ୍ତରଖାନା, ସୋର ଡାକ୍ତରଖାନା ପରିଦର୍ଶନ କରି ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।