ଭୁବନେଶ୍ବର:ଆଦାନୀ ଗ୍ରୁପ ବିରୁଦ୍ଧରେ ହିଣ୍ଡନବର୍ଗ ରିପୋର୍ଟ ନେଇ ଦେଶରେ ବିବାଦ ଥମିବାର ନାଁ ନେଉନି । ଏଲଆଇସି ଓ ଷ୍ଟେଟ ବ୍ୟାଙ୍କର ଟଙ୍କା ଆଦାନୀ ଗ୍ରୁପରେ ଲାଗିଥିବାରୁ ମୋଦି ସରକାରଙ୍କୁ ଘେରୁଛନ୍ତି ବିରୋଧି । ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତିଙ୍କୁ ଦେଶର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଥିବା କଂଗ୍ରେସ ଅଭିଯୋଗ କରୁଛି । ଆଦାନୀ ଗ୍ରୁପର ଏହି ଆର୍ଥିକ ଅନିୟମିତତା ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆସନ୍ତା ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାର ସଦର ମହକୁମା ଠାରେ ଏସବିଆଇ ଏବଂ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏହାସହିତ ବ୍ଲକ ଘେରାଉ କରିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ନେତା ସୁର ରାଉତରାୟ ସୂଚନା ଦେଇଛନ୍ତି ।
କଂଗ୍ରେସ ଅଭିଯୋଗ କରିଛି ଯେ, ଆଦାନୀ ଓ ଅମ୍ବାନୀଙ୍କ ପାଇଁ ଭାରତୀୟ ପୁଞ୍ଜି ବଜାର ବିଶ୍ବର ସର୍ବବୃହତ ଷ୍ଟକ ବଜାର ମାନ୍ୟତା ହରାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶିଳ୍ପପତିଙ୍କୁ ଅନେକ ଅର୍ଥ ପ୍ରଦାନ କରିଛନ୍ତି । ବିଗତ ୯ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବ୍ରିଟେନକୁ ଭାରତକୁ ଅତିକ୍ରମ କରି ବିଶ୍ବର ଷଷ୍ଠ ବୃହତ ପୁଞ୍ଜି ବଜାର ହୋଇଛି । ଭାରତର ସେୟାର ବଜାର ହ୍ରାସ ଯୋଗୁଁ ୪ ଦିନରେ ନିବେଶକ ୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସରକାର ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତିଙ୍କୁ ଦେଶର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଛନ୍ତି ।