ଭୁବନେଶ୍ବର:2024 ସାଧାରଣ ନିର୍ବାଚନରେ କଂଗ୍ରେସକୁ ଅଧିକ ସଂଗଠିତ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ କରିବା ଲକ୍ଷ୍ୟରେ ଏଆଇସିସି । କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା । 24 ବର୍ଷ ଧରି କ୍ଷମତା ଠାରୁ ଦୂରରେ ଥିବା କଂଗ୍ରେସ କିଭଳି ଅଧିକ କ୍ରିୟାଶୀଳ ହୋଇ ଜନସାଧାରଣଙ୍କ ପସନ୍ଦ ପାଲଟିବ ସେନେଇ ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରାଯାଉଛି । ପ୍ରଭାରୀ ପରିବର୍ତ୍ତନ କରାଯାଇ ନୂଆ ପ୍ରଭାରୀଙ୍କୁ ଦାୟିତ୍ୱ ଦେଇଛି ଏଆଇସିସି । ପ୍ରଭାରୀଙ୍କ ପରେ ପିସିସି ଗଣମାଧ୍ୟମ ସେଲର ମୁଖିଆଙ୍କୁ ପରିବର୍ତ୍ତନ କରାଯାଇ ଯୁବନେତାଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ ।
ସେହିପରି ଖୁବଶୀଘ୍ର କଂଗ୍ରେସ ଦଳର ବିଭିନ୍ନ ସାଙ୍ଗଠନିକ ଛାମୁଆ ନେତାଙ୍କ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି । ଦଳକୁ ସୁଦୃଢ଼ କରିବାକୁ ହେଲେ ସଂଗଠନ ଦାୟିତ୍ୱରେ ଥିବା ନେତାଙ୍କୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ଏଆଇସିସି ସ୍ଥିର କରିଛି । ସେପଟେ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ଆରମ୍ଭ ହୋଇଯାଇଛି ରଣନୀତି । କେଉଁ ଅଞ୍ଚଳରୁ ଦଳର ଅଧିକ ସିଟ ଜିତି ହେବ ସେନେଇ ମଧ୍ୟ ବରିଷ୍ଠ ନେତୃତ୍ୱ ସ୍ତରରେ ଆଲୋଚନା ଚାଲିଛି । ଗତ 2019 ନିର୍ବାଚନରେ ଯେଉଁ ଆସନରେ କମ ବ୍ୟବଧାନରେ କଂଗ୍ରେସ ହାରିଥିଲା ସେହି ସିଟଗୁଡିକୁ ଗୁରୁତ୍ୱ ଦେବାକୁ ପ୍ରଭାରୀ ଚର୍ଚ୍ଚା କରିଛନ୍ତି ।
ତେବେ ଉପକୂଳ, ଉତ୍ତର, ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାରେ ସ୍ଥିତି ଦେଖିଲେ ଦକ୍ଷିଣ ଓଡିଶାରେ କଂଗ୍ରେସର ସ୍ଥିତି ଭଲ ରହିଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ପିସିସି ସଭାପତି ଦକ୍ଷିଣ ଓଡ଼ିଶାର ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଦକ୍ଷିଣ ଓଡ଼ିଶାର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । କେବଳ ବିଧାନସଭା ନୁହେଁ ଲୋକସଭାରେ ଅଧିକ ସିଟ୍ ହାତେଇବାକୁ ଦଳ ପ୍ରସ୍ତୁତ ହେଉଛି । ଆଦିବାସୀ ଅଧ୍ୟୁଷିତ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରିରେ କଂଗ୍ରେସ କିଭଳି ଅଧିକ ସିଟରେ ଜିତିବ ସେନେଇ ତାରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ତାରାଙ୍କୁ ବସ ଯାତ୍ରାର ସଂଯୋଜକ କରାଯାଇଛି ।