ଭୁବନେଶ୍ବର:ମହାପ୍ରଭୁ ଲିଙ୍ଗରାଜଙ୍କ ଜମିଜମା ଉପରେ ସ୍ୱତନ୍ତ୍ର ଆଇନ ଲାଗୁ କରିବା ଦାବିରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମିଜମା ଉପରେ ସ୍ୱତନ୍ତ୍ର ଆଇନ ଲାଗୁ ପାଇଁ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପୁରୁଷାନୁକ୍ରମିକ ଭାବେ ବାସ କରୁଥିବା ସେବାୟତ ପରିବାର ଏବଂ ଅଣସେବାୟତ ପରିବାରଙ୍କର ସ୍ଥାୟୀ ପଟ୍ଟା ହେବା ଜରୁରୀ ବୋଲି ମତ ଦେଇଛନ୍ତି ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା, ମୁଖପାତ୍ର ଏବଂ ଏକାମ୍ର କ୍ଷେତ୍ରର ବିଧାୟିକା ପ୍ରାର୍ଥୀ ରଶ୍ମି ମହାପାତ୍ର କହିଛନ୍ତି ।
୨୦୨୨ର ସିଏଜି ରିପୋର୍ଟ ଅନୁଯାୟୀ, ସାରା ଓଡ଼ିଶାରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ୧୫୨୩.୮୭୯ ଏକର ଜମି ଅଛି । ଏସବୁ ଜମିରୁ କୌଣସି ଆୟ ହେଉନାହିଁ । ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରଶାସନର ତଥ୍ୟ ଅନୁଯାୟୀ ୩୭ ଏକର ଜମି ଲୋକଙ୍କ ପାଖରେ ଥିବାବେଳେ ପ୍ରକୃତରେ ୫୦ ଏକରରୁ ଅଧିକ ଜମି ଲୋକଙ୍କ ପାଖରେ ରହିଛି । ଏହାସବୁ ଭୁବନେଶ୍ୱର ତହସିଲ ମଧ୍ୟରେ ଥିବାବେଳେ ଯେଉଁ ୩୭% ଜମି ଲିଙ୍ଗରାଜଙ୍କ ନାମରେ ଅଛି ସେଥିରେ ପ୍ରାୟ ଲକ୍ଷାଧିକ ଲୋକ ବସବାସ ସହ ବ୍ୟବସାୟ କରୁଥିବା ସମସ୍ତେ ସମସ୍ୟା ଘେରରେ ଅଛନ୍ତି । ଏହି ଜମିକୁ ନେଇ ସେମାନେ ପୁରୁଷ ପୁରୁଷ ଧରି ବହୁ ଅର୍ଥ ଖର୍ଚ୍ଚ କରି କେସ କରି ଚାଲୁଛନ୍ତି ।
ସେପଟେ ଲିଙ୍ଗରାଜଙ୍କ ପ୍ରଶାସନର ମଧ୍ୟ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି । ବହୁ ଲୋକଙ୍କ ସମ୍ବଳ ନଥିବାରୁ ବିଭିନ୍ନ କୋର୍ଟରେ ମକଦ୍ଦମା ପଡ଼ି ରହିଛି । କିଛି ଲୋକ କେସ କରି ହାଇକୋର୍ଟରେ ହାରି ସର୍ବସ୍ୱାନ୍ତ ହୋଇଥିବାବେଳେ ସୁପ୍ରିମକୋର୍ଟ ଯିବାପାଇଁ ଲୋକଙ୍କ ପାଖରେ ଆଉ ସମ୍ବଳ ନାହିଁ । ଏହାର ସୁଯୋଗ ନେଇ କିଛି ମୁଷ୍ଟିମେୟ ଅଫିସର ଭଲ ଭଲ ଯାଗାକୁ ହାତେଇବା ପାଇଁ କଳ ବଳ କୌଶଳ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । କିଛି ସେବାୟତ ପରିବାରଙ୍କୁ ବିଭିନ୍ନ ସେବାକୁ ପାଇଁ ଜମି ମିଳିଥିଲେ ବି ଘର ମରାମତି ବାବଦକୁ ବ୍ୟାଙ୍କରୁ ଋଣ ପାଇପାରିନାହାନ୍ତି ।