ଓଡିଶା

odisha

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଉ: କଂଗ୍ରେସ

By ETV Bharat Odisha Team

Published : Jan 2, 2024, 10:34 PM IST

High Court Bench: ହାଇକୋର୍ଟ ବେଞ୍ଚ ନେଇ ଆଉ କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛି କଂଗ୍ରେସ । ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କଲା କଂଗ୍ରେସ
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କଲା କଂଗ୍ରେସ

ଭୁବନେଶ୍ବର: ଦୀର୍ଘଦିନ ଧରି ପଶ୍ଚିମ ଓଡିଶାବାସୀଙ୍କ ପକ୍ଷରୁ ହାଇକୋର୍ଟ ନୂତନ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ହୋଇ ଆସୁଥିଲା । ଦାବି ଏତେ ଉଗ୍ର ହୋଇଥିଲା ଯେ, ପଶ୍ଚିମ ଓଡ଼ିଶାରେ ପ୍ରାୟ ସବୁ ଜିଲ୍ଲା ଗୁଡିକରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ହେଲେ ହାଇକୋର୍ଟର ବେଞ୍ଚ ଆଉ ମହତ୍ତ୍ବପୂର୍ଣ୍ଣ ନୁହେଁ, ତେଣୁ ନୂଆ ବେଞ୍ଚର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ଆଜି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ତେବେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ କହିଛି ଓଡିଶାର ବିଭିନ୍ନ ଅଞ୍ଚଳରେ ବେଞ୍ଚ ସ୍ଥାପନ ନେଇ ଦାବି କରୁଛୁ ।

ମଙ୍ଗଳବାର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ସେ କହିଥିଲେ, "ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସୁପାରିଶ ଦରକାର ଅଛି । ଏମାନଙ୍କ ସୁପାରିଶ ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ସହମତିର ଆବଶ୍ୟକତା ରହିଛି । ଆଧୁନିକ ଯୁଗରେ ଏବେ ସୂଚନା ପ୍ରଯୁକ୍ତି ବିଦ୍ୟାର ଦୁନିଆ, ଆମେ ଇ-କୋର୍ଟ ଉପରେ ଗୁରୁତ୍ବ ଦେଉଛୁ । ଇ-କୋର୍ଟ କାର୍ଯ୍ୟରେ ଓଡିଶା ଅନ୍ୟ ରାଜ୍ୟ ଅପେକ୍ଷା ଭଲ ପ୍ରଦର୍ଶନ କରୁଛି । ସ୍ଥାୟୀ ବେଞ୍ଚରେ ଯାହା ହୋଇଥାନ୍ତା, ତାହା ଇ-କୋର୍ଟରେ ହୋଇପାରୁଛି । ଏଭଳି ସମୟରେ ଆଉ ସ୍ଥାୟୀ ବେଞ୍ଚ ଗୁରତ୍ବ ବହନ କରୁନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ

ତେବେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଏଭଳି ପ୍ରତିକ୍ରିୟା ଉପରେ ମତ ରଖିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଗୋଟିଏ କାହିଁକି, ରାଜ୍ୟରେ 4ଟି ହାଇକୋର୍ଟ ବେଞ୍ଚ ହେଉ ବୋଲି ମୁଁ ଦାବି କରୁଛି । ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ମଧ୍ୟ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆବଶ୍ୟକ । ବାଲେଶ୍ବରରେ ମଧ୍ୟ ଦାବି କରୁଛନ୍ତି, ସେଠାରେ ବି ହେଉ । ହାଇକୋର୍ଟ ତ ଗୋଟିଏ ଜାଗାରେ ଅଛି । ଏହା କେବଳ ଗୋଟିଏ ଗୋଟିଏ ବେଞ୍ଚ । ସୁପ୍ରିମକୋର୍ଟ ଯଦି କିଛି ନିର୍ଦ୍ଦେଶ ଦେବେ, ତ ଆମେ ମାନିବୁ ଏବଂ ସ୍ଵାଗତ କରିବୁ । ଲୋକମାନେ ଯଦି ଚାହୁଁଛନ୍ତି, ତବେ ଆମେ ତାଙ୍କ ଦାବିକୁ ସମର୍ଥନ ଦେଉଛୁ ।" ତେବେ ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ଆଗକୁ କାର୍ଯ୍ୟକାରୀ ହେଉଛି ନା ସବୁଦିନ ପାଇଁ ଦାବି ହୋଇ ରହିଯାଉଛି, ତାହା ସମୟ ହିଁ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details