ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପକୁ ନେଇ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମେଟ୍ରୋ ପ୍ରକଳ୍ପ ଅଗ୍ରଗତିକୁ ନେଇ ଆସନ୍ତା ୧୮ ତାରିଖରେ ଭୁବନେଶ୍ବରରେ ବସିବ ବୈଠକ । ମେଟ୍ରୋ ପ୍ରକଳ୍ପର ଡିପିଆର୍ ବା ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ମେଟ୍ରୋ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ଆଶା ବୃଦ୍ଧି ପାଇଛି । ରାଜ୍ୟ ସରକାର ଏନେଇ ୨୧୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଖୁବ୍ଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ତେବେ ମେଟ୍ରୋ ରେଳକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କଂଗ୍ରେସ କହିଛି ନିର୍ବାଚନକୁ ଆଖି ଆଗରେ ରଖି ଭୋଟ ହାତେଇବା ପାଇଁ ଏଭଳି ଘୋଷଣା କରିଛନ୍ତି ସରକାର ।
ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "୨୪ ବର୍ଷ ପରେ ମେଟ୍ରୋ କଥା ସରକାରଙ୍କର ମନେ ପଡିଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଥିବାବେଳେ ଶୀଲା ଦୀକ୍ଷିତଙ୍କ ସରକାର କାଳରେ ଅନେକ ବର୍ଷ ପୂର୍ବରୁ ଦିଲ୍ଲୀରେ ମେଟ୍ରୋ ଚାଲିଛି । ମୁଖ୍ୟମନ୍ତ୍ରୀ ସେଠାରୁ କିଛି ଶିଖି ପାରିଲେ ନାହିଁ । ୨୪ ବର୍ଷ ହେବ ଯିଏ ଶିଖିପାରିଲେ ନାହିଁ କି ମେଟ୍ରୋ କାର୍ଯ୍ୟକାରୀ କରିପାରିଲେ ନାହିଁ, ସିଏ ନିର୍ବାଚନ ୨ ମାସ ମଧ୍ୟରେ କେଉଁଭଳି ଭାବରେ ମେଟ୍ରୋକୁ କାଯ୍ୟକାରୀ କରିବେ ? କେବଳ ଅର୍ବାନ ଭୋଟ ହାତେଇବା ପାଇଁ ଏହି ଯୋଜନାକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ଏହା କାର୍ଯ୍ୟକାରୀ ହୋଇପାରିବ କି ନାହିଁ ତାହା ମଧ୍ୟ ଏକ ବଡ଼ ଆଶଙ୍କା ।"