ଓଡିଶା

odisha

ETV Bharat / state

କଂଗ୍ରେସର ରାଜଭବନ ଘେରାଉ: ବ୍ୟାରିକେଡ ଭାଙ୍ଗିଲେ, କର୍ମୀ-ପୋଲିସ ଧସ୍ତାଧସ୍ତି - ମୋଦି ଆଦାନୀ

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ଦାବି ନେଇ କଂଗ୍ରେସର ରାଜଭବନ ଘେରାଉ । ଏହି ଆନ୍ଦୋଳନ ବେଳେ ପୋଲିସ କର୍ମୀ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Congress calls Raj Bhawan Gherao Protest
Congress calls Raj Bhawan Gherao Protest

By

Published : Mar 13, 2023, 5:34 PM IST

କଂଗ୍ରେସର ରାଜଭବନ ଘେରାଉ

ଭୁବନେଶ୍ବର: କଂଗ୍ରେସର ରାଜଭବନ ଚାଲ ଅଭିଯାନ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଚାର୍ଜସିଟ ସହ ବିଭିନ୍ନ ଦାବି ଏବଂ ଆଦାନୀ-ମୋଦି ଘନିଷ୍ଠ ସମ୍ପର୍କ ନେଇ ସୋମବାର ରାଜଭବନ ଘେରାଉ କରିଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାଙ୍କ ବିରୋଧରେ ଗର୍ଜିଛି କଂଗ୍ରେସ । ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ଫୋପାଡ଼ି ଆନ୍ଦୋଳନ କରୁଥିବା ସମୟରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଯାଇ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇବା ସହ ଉଠାଇନେଇଥିବା ଜଣାପଡ଼ିଛି ।

ଆଜି ରାଜଭବନ ଘେରାଉ କାର୍ଯ୍ୟକ୍ରମ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ଓ କର୍ମୀ । ଭୁବନେଶ୍ବର ଏଡିଏମ କାର୍ଯ୍ୟାଳୟ ପାଖରୁ ଏକ ବିଶାଳ ରାଲି ରାଜଭବନ ଅଭିମୁଖେ ବାହାରିଥିଲା । କର୍ମୀଙ୍କୁ ଅଟକାଇବା ବେଳେ କେତେକ କର୍ମୀ ନାରାବାଜି କରିବା ସହ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି । ଏହି ଆନ୍ଦୋଳନ କରୁଥିବା ସମୟରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ରାଜଭବନକୁ ପୋଲିସ ନ ଛାଡ଼ିବାରୁ କେବଳ ଯୁବକର୍ମୀ ନୁହେଁ ପୋଲିସ ବ୍ୟାରିକେଡ଼ ଡେଇଁଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ ବିଧାୟକ ସୁର ରାଉତରାୟ । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଯାଇ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଇବା ସହ ଉଠାଇନେଇଥିଲା ।

ଆଦାନୀ ଅମ୍ବାନୀ ପ୍ରତି କେନ୍ଦ୍ର ସରକାରଙ୍କ ଅହେତୁକ ଅନୁକମ୍ପା, ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଜ୍ୟ କଂଗ୍ରେସ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବିଭିନ୍ନ ଜିଲ୍ଲାରୁ ସାମିଲ ହୋଇଥିବା ବରିଷ୍ଠ ନେତା, କଂଗ୍ରେସ ଜିଲ୍ଲା ସଭାପତି, ମହିଳା କର୍ମୀ ଯୁବକ ଓ ଛାତ୍ର କଂଗ୍ରେସ ଏବଂ ସାଧାରଣ କର୍ମୀଙ୍କୁ ନେଇ ଆନ୍ଦୋଳନ କରାଯାଇଛି । ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି କଂଗ୍ରେସ ଚାଲିଚାଲି ରାଜଭବନ ଅଭିମୁଖେ ଆସିଥିଲେ। ଆଉ ସେଠାରେ ଏକ ସାଧାରଣ ସଭା କରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ ।

ଏହା ବି ପଢନ୍ତୁ- Budget Session: ସ୍ବାଭାବିକ ହେଲା ଗୃହକାର୍ଯ୍ୟ, ଗୃହରେ ଉଠିଲା ଋଣଭାର ପ୍ରସଙ୍ଗ

ମୁଖ୍ୟତଃ ରାଜଭବନ ଆଗରେ କଂଗ୍ରେସର ଏହି ବଡ଼ ପ୍ରତିବାଦରେ ମୋଦି + ଆଦାନୀ = ମୋଦାନି ଲିଙ୍କ ନେଇ ପ୍ରତିବାଦ କରାଯାଇଥିଲା । ଦେଶରେ ଆଦାନୀ ଝଡ଼କୁ ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରୁଥିବା ବେଳେ ରାଜ୍ୟ କଂଗ୍ରେସ କରିଛି ବଡ ପ୍ରତିବାଦ । ହିଣ୍ଡେନ ବର୍ଗ ରିପୋର୍ଟ, ପ୍ରଧାନମନ୍ତ୍ରୀ ମୋଦି ଓ ଆଦାନୀ ଲିଙ୍କ ନେଇ ଏହି ପ୍ରତିବାଦ କରାଯାଇଛି । ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "SBI ଓ LICରୁ କୋଟି କୋଟି ଲୋନ ନେଇ ଅର୍ଥନୀତିକୁ ଦୁର୍ବଳ କରିଛନ୍ତି ଆଦାନୀ । ରାହୁଲ ଗାନ୍ଧୀଙ୍କ ଦାବି ହେଉଛି ଜେପିସି ତଦନ୍ତ ଲାଗି । ତାହାକୁ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି ବରଂ ଆଦାନୀଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି । ଯାହାକୁ ନେଇ ସାରା ଦେଶରେ ପ୍ରତିବାଦ ହେଉଥିବା ବେଳେ ଓଡ଼ିଶା କଂଗ୍ରେସ ରାଜଭବନ ଘେରାଉ କରିବା ସହ CJIଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଦନ୍ତ ପାଇଁ ଦାବି କରିଛି ।"

ଖାଲି ସେତିକି ନୁହେଁ ଉଭୟ ବିଜେଡି ଓ ବିଜେପି ସରକାର ଭାଇ ଭାଇ ହୋଇ ଚଳୁଛନ୍ତି । ମିଛରେ ଆମେ ଅଲଗା ଅଲଗା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଯାହାକୁ ଲୋକେ ବୁଝିଲେଣି ବୋଲି କହିଛନ୍ତି ପିସିସି ସଭାପତି । ବିରୋଧ ଓ ଆନ୍ଦୋଳନ ପରେ ଆଗାମୀ ଦିନରେ ଯଦି ସରକାର ନ ଚେତିଲେ ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ଶେଷରେ କଂଗ୍ରେସ ବିଧାୟକ ଓ ପିସିସି ଟିମ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେପଟେ କଂଗ୍ରେସ ପ୍ରତିବାଦକୁ ଦେଖି ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି । ପାୱାର ହାଉସ ଛକରୁ ରାଜଭବନ ରାସ୍ତା ସିଲ କରାଯାଇଛି । ଉକ୍ତ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ବନ୍ଦ କରାଯିବା ସହ ଲୁହ ବୁହା ଗ୍ୟାସ ସାଙ୍ଗକୁ ୱାଟର ଟ୍ୟାଙ୍କ ମଧ୍ୟ ପ୍ରସ୍ତୁତ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details