ଓଡିଶା

odisha

ମହାନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କଂଗ୍ରେସ ଓ ବିଜେପି : ବିଜେଡି

By

Published : Apr 28, 2023, 6:42 PM IST

Updated : Apr 28, 2023, 7:28 PM IST

ମହାନଦୀ ଜଳ ବିବାଦ ନେଇ ବିରୋଧୀ ଘନଘନ ଟାର୍ଗେଟ କରୁଛନ୍ତି । ଏହାରି ମଧ୍ୟରେ ଆଜି ବିରୋଧୀଙ୍କୁ କଡ଼଼ା ଜବାବ ଦେଇଛି ବିଜେଡି । ଅଧିକ

ମହାନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କଂଗ୍ରେସ ଓ ବିଜେପି : ବିଜେଡି
ମହାନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କଂଗ୍ରେସ ଓ ବିଜେପି : ବିଜେଡି

ମହାନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କଂଗ୍ରେସ ଓ ବିଜେପି : ବିଜେଡି

ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ ବିରୋଧୀ ଓ କଂଗ୍ରେସକୁ ଘେରିଛି ଶାସକ ବିଜେଡି । ପ୍ରସଙ୍ଗରେ ଉଭୟ ଦଳର ନୈତିକତା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି 'ମାଟି ଆଗ ନା ପାର୍ଟି' ଜବାବ ରଖିବାକୁ ଉଭୟ ଦଳକୁ ଆହ୍ୱାନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଏବଂ ପ୍ୟାନେଲିଷ୍ଟ ସ୍ୱୟଂ ପ୍ରକାଶ ମହାପାତ୍ର । ବ୍ୟାରେଜ ନିର୍ମାଣରେ ଛତିଶଗଡକୁ ସହାୟତା କରିଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ ଓ ଛତିଶଗଡର ବିଜେପି ସରକାର ବିରୁଦ୍ଧରେ ଗର୍ଜୁଥିବା କଂଗ୍ରେସ ନେତା ଏବେ ନିରବ ଥିବା ଅଭିଯୋଗ କରିଛି ବିଜେଡି । ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛି ବିଜେଡି ।

ଶ୍ରୀମୟୀ କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା । କୋଟିକୋଟି ଚାଷୀ ଏବଂ ମତ୍ସ୍ୟଜୀବୀ ସେମାନଙ୍କ ଜୀବନ ଏବଂ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ । ମହାନଦୀ ଓଡ଼ିଶାର ଅଧା ଜିଲ୍ଲା ଦେଇ ପ୍ରବାହିତ ହେଉଛି । ଓଡିଶାର ପ୍ରାୟ ୨.୫ କୋଟି ଲୋକଙ୍କୁ ଏହା ପ୍ରଭାବିତ କରିଥାଏ । ଓଡ଼ିଶା ଏବଂ ମହାନାଦୀର ଇତିହାସ ପରସ୍ପର ସହ ଜଡିତ । ହେଲେ ଛତିଶଗଡର ବେଆଇନ କାର୍ଯ୍ୟ ଯୋଗୁଁ ମହାନଦୀ ଶୁଖିଲା ପଡ଼ିଛି । ଉଭୟ କଂଗ୍ରେସ ଓ ବିଜେପି ଏହାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓଡ଼ିଶାର ସମୃଦ୍ଧତା ମଧ୍ୟ ମହାନାଦୀର ସମୃଦ୍ଧତା ସହିତ ସିଧାସଳଖ ଜଡିତ । ମହାନଦୀକୁ କେବଳ ଓଡିଶାର ଏକ ନଦୀ ଭାବରେ ବିବେଚନା କରାଯାଏ ନାହିଁ । ବରଂ ଏହାକୁ ଓଡିଶାର ଅଭିବୃଦ୍ଧି ଏବଂ ପ୍ରଗତିର ଏକ ପ୍ରମୁଖ ଉପାଦାନ ଭାବରେ ବିବେଚନା କରାଯାଏ । କୃଷି, ସାମାଜିକ ଚଳଣୀ ଏବଂ ଶିଳ୍ପଠାରୁ ସହର ସବୁକିଛି ମହାନଦୀ ଚାରିପାଖରେ ବୃଦ୍ଧି ପାଇଛି । ଓଡ଼ିଶାର ଜନଜୀବନ ଏବଂ ସାମାଜିକ ଭାବଧାରା ମହାନାଦୀର ପ୍ରବାହରେ ଗଢି ଉଠିଛି । ଏହି ନଦୀ କେବଳ ଏକ ନଦୀ ମଧ୍ୟରେ ସୀମିତ ନୁହେଁ । ଏହା ଓଡ଼ିଶାର ଅସ୍ମିତା, ଓଡି଼ଶାର ଐତିହ୍ୟ ଏବଂ ସମୃଦ୍ଧ ଉତ୍ତରାଧିକାରୀ ଏବଂ ୪.୫ କୋଟି ଓଡିଆଙ୍କ ସହିତ ଜଡିତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୭ ରେ ଛତିଶଗଡ ମହାନଦୀର ଉପରମୁଣ୍ଡରେ ବେଆଇନ ବ୍ୟାରେଜ ନିର୍ମାଣ କରିଛି । ଓଡିଶା ସରକାର ଛତିଶଗଡ଼ର ଏହି ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଦାବି କରୁଥିଲେ ମଧ୍ୟ ଛତିଶଗଡ଼ ତାହା କରୁ ନାହିଁ । କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ଛତିଶଗଡ ସରକାରଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଜରିଆରେ ମହାନଦୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଉପରେ ଚାପ ପକାଇଥିଲେ । ସେତେବେଳେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ଓଡିଶାର ଲୋକଙ୍କ ସ୍ୱାର୍ଥ ପାଇଁ ଛିଡ଼ା ହେବା ପରିବର୍ତ୍ତେ ଛତିଶଗଡକୁ ସମର୍ଥନ କରିଥିଲେ ଏବଂ ଛତିଶଗଡ଼କୁ ସହଯୋଗ କରିବାକୁ ଓଡିଶା ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ଛତିଶଗଡ଼ର ମହାନଦୀ ଉପରେ ହୋଇଥିବା ଏହି ବେଆଇନ ବ୍ୟାରେଜ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଥିଲେ । କିନ୍ତୁ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧିନ ସରକାର ଓଡ଼ିଶାକୁ ସମର୍ଥନ କରିବା ପରିବର୍ତ୍ତେ ଏହି ବିବାଦକୁ ବିରୋଧ କରିଥିଲା । ଛତିଶଗଡକୁ ସମର୍ଥନ କରିଥିଲା ।

ସୁପ୍ରିମକୋର୍ଟ ୨୩ ଜାନୁଆରୀ ୨୦୧୮ର ଆଦେଶ ମାଧ୍ୟମରେ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଅଧିନିୟମ, ୧୯୫୬ ଅନୁଯାୟୀ ବିଚାର ପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଓଡିଶା ସରକାର ମହାନଦୀ ଏବଂ ଓଡିଶାର ଲୋକଙ୍କ ପାଇଁ ଜୋରଦାର ଲଢୁଥିବାବେଳେ ଓଡିଶା ବିଜେପି ନେତାମାନେ ମୂକ ଦର୍ଶକ ସାଜିଥିଲେ । ସେମାନଙ୍କ ଦଳ ଦ୍ୱାରା ପରିଚାଳିତ ଛତିଶଗଡ଼ ସରକାର ବିରୋଧରେ କହିବାକୁ ସାହସ କରିପାରିନଥିଲେ । ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ହେବାର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ । ଓଡିଶା ସରକାର ୪.୫ କୋଟି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ଶୀଘ୍ର ସମାଧାନ ପାଇଁ ଦାବି କରିଆସୁଛନ୍ତି ।

ସ୍ୱୟଂ ପ୍ରକାଶ କହିଛନ୍ତି, "ମହାନଦୀ ଜଳ ପ୍ରବାହ ଏବଂ ଓଡିଶାବାସୀଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବକୁ ନେଇ ଓଡ଼ିଶା ବିଜେପି ନେତାମାନେ ଆଦୌ ଚିନ୍ତିତ ନାହାନ୍ତି । ବର୍ତ୍ତମାନ ଛତିଶଗଡ କଂଗ୍ରେସ ଦଳ ଦ୍ୱାରା ପରିଚାଳିତ ହେଉଛି । ଓଡ଼ିଶା କଂଗ୍ରେସ ନେତା, ଯେଉଁମାନେ ପୂର୍ବ ବର୍ଷଗୁଡିକରେ ବିଜେପି ନେତୃତ୍ୱାଧୀନ ଛତିଶଗଡ ବିରୋଧରେ ମହାନଦୀ ଉପରେ ସ୍ଲୋଗାନ ଦେଉଥିଲେ । ସେମାନେ ବର୍ତ୍ତମାନ ଚୁପ ରହିଛନ୍ତି । ସେମାନଙ୍କର ନିରବତା ଦର୍ଶାଉଛି ଯେ, ଓଡ଼ିଶା ବିଜେପି ପାଇଁ ଏହା ହେଉଛି ପ୍ରଥମେ ପାର୍ଟି ଏବଂ ପରେ ମାଟି । ଓଡ଼ିଶା କଂଗ୍ରେସ ନେତାମାନେ ମଧ୍ୟ ଦିଲ୍ଲୀ ଏବଂ ଛତିଶଗଡ଼ରେ ସେମାନଙ୍କ ଦଳ ସହ ହସ୍ତକ୍ଷେପ କରିବା ଉଚିତ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଏହି ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ଦାବି କରିବା ଉଚିତ । ଉଭୟ କଂଗ୍ରେସ ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ଉଭୟ ଓଡିଶାବାସୀଙ୍କ ଆଗରେ ଡ୍ରାମା କରୁଛନ୍ତି ଯେ ସେମାନେ ଓଡିଶାର ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ବାସ୍ତବରେ କିନ୍ତୁ ସେମାନେ ଓଡିଶାବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି । ମହାନଦୀ ପ୍ରସଙ୍ଗ ସେମାନଙ୍କର ଉଦ୍ଦେଶ୍ୟକୁ ପଦାରେ ପକାଇଛି ।"

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଦୁର୍ଭାଗ୍ୟଜନକ ଯେ ମହାନଦୀର ବୃହତ ସ୍ୱାର୍ଥ ତଥା କୋଟିକୋଟି ଓଡିଆଙ୍କ ଉପରେ ପ୍ରଭାବ ପକାଉଥିବା ମହାନଦୀ ପ୍ରସଙ୍ଗରେ ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସ ନେତାମାନେ ନିଜ ନିଜ ଦଳକୁ ଯଥାକ୍ରମେ ଛତିଶଗଡ଼ ଏବଂ କେନ୍ଦ୍ର ସ୍ତରରେ ହସ୍ତକ୍ଷେପ କରିବାକୁ କହୁ ନାହାଁନ୍ତି । ଏହା ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସର ଦୋମୁହାଁ ନୀତିକୁ ପ୍ରକାଶ କରୁଛି । ଗୋଟିଏ ପଟେ ସେମାନେ ଓଡିଶାର ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଅନ୍ୟପଟେ ଛତିଶଗଡକୁ ଚୁପଚାପ୍ ସମର୍ଥନ କରୁଛନ୍ତି । ବିଜୁ ଜନତା ଦଳ ଓଡିଶା ବିରୋଧୀ, ଓଡିଆ ବିରୋଧୀ, ଓଡିଶା କଂଗ୍ରେସ ଓ ଓଡିଶା ବିଜେପିର ଲୋକ ବିରୋଧୀ ମନୋଭାବକୁ ଦୃଢ ନିନ୍ଦା କରୁଛି । ବିଜେଡି ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଏବଂ ମହାନଦୀ ସମସ୍ୟାର ସମାଧାନ କରିବାକୁ ଦାବି କରିଛି । ଯଦି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସ ନୀରବ ରହି ମୂକ ଦର୍ଶକ ସାଜନ୍ତି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଏହାର ସମାଧାନ ପାଇଁ ସେମାନଙ୍କ ଦଳ ପରିଚାଳିତ କେନ୍ଦ୍ର ତଥା ଛତିଶଗଡ ସରକାରକୁ କହିବେ ନାହିଁ । ତେବେ ତାହା ଓଡିଶାବାସୀଙ୍କୁ ଜଣାଇଦେବ ଯେ ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସର ଏହି କୁମ୍ଭୀର କାନ୍ଦଣା କେବଳ ଶସ୍ତା ରାଜନୀତି ପାଇଁ ଉଦ୍ଦିଷ୍ଟ । ଓଡିଶାର ଲୋକଙ୍କ କଲ୍ୟାଣ ପାଇଁ ନୁହେଁ ବୋଲି ସ୍ୱୟଂ ଓ ଶ୍ରୀମୟୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 28, 2023, 7:28 PM IST

ABOUT THE AUTHOR

...view details