ଓଡିଶା

odisha

ETV Bharat / state

ଲିପାପୋତି ହୋଇଛି କରମଣ୍ଡଳ ଦୁର୍ଘଟଣା ରିପୋର୍ଟ: କଂଗ୍ରେସ - ବାହାନଗା ଟ୍ରେନ ଦୁର୍ଘଟଣା

ବାହାନଗା ରେଳ ଦୁର୍ଘଟଣାର ପ୍ରାୟ ମାସକ ପରେ ଆସିଛି ରେଲଓ୍ବେ କମିଶନରଙ୍କ ରିପୋର୍ଟ । ରିପୋର୍ଟକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଟ୍ରେନ ଟ୍ରାଜେଡି ଘଟଣାକୁ ଲିପାପୋତି କରି ଦିଆଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 4, 2023, 8:34 PM IST

ଲିପାପୋତି ହୋଇଛି କରମଣ୍ଡଳ ଦୁର୍ଘଟଣା ରିପୋର୍ଟ

ଭୁବନେଶ୍ବର:କରମଣ୍ଡଳ ରେଳ ଦୁର୍ଘଟଣାକୁ ମାସେ ବିତିଛି । ବାହାନଗା ରେଳ ଦୁର୍ଘଟଣାର ପ୍ରାୟ ମାସକ ପରେ ଆସିଛି ରେଲଓ୍ବେ କମିଶନରଙ୍କ ରିପୋର୍ଟ । ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ରେଳ ସୁରକ୍ଷା କମିଶନ ରିପୋର୍ଟ ଦାଖଲ କରିଛନ୍ତି । ରେଳବୋର୍ଡ ନିକଟରେ ଦାଖଲ ଏହି ରିପୋର୍ଟରେ ତ୍ରୁଟିପୂର୍ଣ୍ଣ ୱେୟାରିଂ ମଧ୍ୟ ଆଉ ଏକ କାରଣ ବୋଲି ଉଲ୍ଲେଖ ରହିଛି । ତେବେ ରିପୋର୍ଟକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଟ୍ରେନ ଟ୍ରାଜେଡି ଘଟଣାକୁ ଲିପାପୋତି କରି ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ସେପଟେ ବିଜେଡି କହିଛି ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ ।

ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଥିବା ରେଳ ସୁରକ୍ଷା କମିଶନ ରିପୋର୍ଟ ଦାଖଲ କରିଛନ୍ତି । ରେଳବୋର୍ଡ଼ ନିକଟରେ ଦାଖଲ ରିପୋର୍ଟରେ ତ୍ରୁଟିପୂର୍ଣ୍ଣ ୱେୟାରିଂ ଆଉ ଏକ କାରଣ ବୋଲି କୁହାଯାଇଛି । ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଂ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି କୁହାଯାଇଛି । ବାହାନଗା ଟ୍ରେନ ଟ୍ରାଜେଡିର ରିପୋର୍ଟ ଆସିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି । କଂଗ୍ରେସ ଅଭିଯୋଗ କରିଛି ଯେ ଘଟଣାକୁ ଲିପାପୋତି କରି ଦିଆଯାଇଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ବାଲେଶ୍ବରର ବାହାନଗା ରେଳ ଦୁର୍ଘଟଣା ଦେଶର ସବୁଠାରୁ ବଡ଼ ଦୁର୍ଘଟଣା । ସରକାରୀ ଭାବେ 290ରୁ ଊର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଇଛି । ବେସରକାରୀ ଭାବେ ଅଧିକ ଲୋକ ମୃତାହତ ହୋଇଛି । କେନ୍ଦ୍ର ସରକାର ଘଟଣାରେ ଲିପାପୋତି କରିବା ପାଇଁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସିବିଆଇ ମଧ୍ୟ ଲିପାପୋତି କରି ସାମାନ୍ୟ ତ୍ରୁଟି ବାହାର କରି ଷ୍ଟେସନ ମାଷ୍ଟର ଉପରେ ଥୋଇ ଦେଇଛନ୍ତି । ଘଟଣାକୁ ଷ୍ଟେସନ ମାଷ୍ଟର ମୁଣ୍ଡ ଉପରେ ଦୋଷ ଲଦି ଦେବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଲୋକେ ଏହାକୁ ସ୍ବାକାର କରିବେ ନାହିଁ । ଷଡ଼ଯନ୍ତ୍ର ହୋଇଛି ବୋଲି ସେହି ସମୟରେ ରେଳ ମନ୍ତ୍ରୀଙ୍କଠୁ ନେଇ ସମସ୍ତ ଅଧିକାରୀ କହିଥିଲେ । କଣ ଷଡ଼ଯନ୍ତ୍ର ଓ କାହିଁକି ହେଲା ତାକୁ ଲୁଚେଇବାକୁ ଷ୍ଟେସନ ମାଷ୍ଟର ଓ ସିଗନ୍ନାଲ ତ୍ରୁଟି ଦେଖାଯାଉଛି । ରିପୋର୍ଟରେ ବହୁତ କିଛି ଲିପାପୋତି ହୋଇଛି ।"

ଏହା ବି ପଢନ୍ତୁ- ବାଲେଶ୍ବର ଟ୍ରେନ ଦୁର୍ଘଟଣା CRS ରିପୋର୍ଟ, ସିଗନାଲିଂ ତ୍ରୁଟି କାରଣ

ସେହିପରି ବିଜେଡି ବିଧାୟକ ପର୍ଶୁରାମ ଧଡ୍ଡା କହିଛନ୍ତି, "ସିଗ୍ନାଲ ତ୍ରୁଟି ବୋଲି ପ୍ରଥମରୁ ଜଣାପଡିଥିଲା । ଏହା ନ ହୋଇଥିଲେ ଦୁର୍ଘଟଣା ହୋଇନଥାନ୍ତା । ସେତେବେଳେ ଏହା ଜଣାପଡିଥିଲା, ଘୋଷଣା କରିବାକୁ କେବଳ ସମୟ ନିଆଯାଇଥିଲା । ବିଧି ବ୍ୟବସ୍ଥା ଭିତରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । ସିବିଆଇ ତଦନ୍ତ ମଧ୍ୟ ଜାରି ରହିଛି । ସମ୍ପୂର୍ଣ୍ଣ ତଦନ୍ତ ନସରିବା ପର୍ଯ୍ୟନ୍ତ କିଛି କହି ହେବନାହିଁ । ତଦନ୍ତ ପରେ ଜଣାପଡିବ କିଏ ଦୋଷୀ ଓ କିଏ ନିର୍ଦ୍ଦୋଷ । ତାପରେ ହିଁ କେଉଁଟା ଠିକ ଓ କେଉଁଟା ଭୁଲ ସାମ୍ନାକୁ ଆସିବ ।" ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, " ଯାହା ଉପରେ କାର୍ଯ୍ୟାନୁଷ୍ଠାନ ନେବା କଥା କେନ୍ଦ୍ର ସରକାର ନେବେ । କିଛି ଚାପି ଦିଆଯାଉନାହିଁ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କଂଗ୍ରେସ ବହୁତ କଥା କହିବ । କଂଗ୍ରେସ ସମୟରେ ମଧ୍ୟ ରେଳ ଦୁର୍ଘଟଣା ହୋଇଛି । ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି । ତ୍ବରିତ ଭାବେ ଟ୍ରେନ ଚାଲିଛି ।"



6 ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ:- ଦୁର୍ଘଟଣା ପରେ ରେଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବା ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା 6 ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି । ଖଡ଼ଗପୁର ଡିଆରଏମ, ଦକ୍ଷିଣ-ପୂର୍ବ ରେଳ ଜୋନର ପ୍ରିନ୍ସିପାଲ ଚିଫ ସିଗନାଲ ଓ ଟେଲିକମ୍ୟୁନିକେସନ ଇଂଜିନିୟର, ପ୍ରିନ୍ସିପାଲ ଚିଫ ସେଫ୍ଟି ଅଫିସର, ପ୍ରିନ୍ସିପାଲ୍‌ ଚିଫ ସିକ୍ୟୁରିଟି କମିସନର ଓ ପ୍ରିନ୍ସିପାଲ ଚିଫ କମର୍ସିଆଲ ମ୍ୟାନେଜରଙ୍କୁ ବଦଳି କରାଯାଇଛି । ସେହିପରି ଦକ୍ଷିଣ-ପୂର୍ବ ରେଳ ଜୋନର ଜିଏମ ଅର୍ଚ୍ଚନା ଯୋଶୀଙ୍କୁ ମଧ୍ୟ ବଦଳି ହୋଇଛନ୍ତି ।



ଚିହ୍ନଟ ଅପେକ୍ଷାରେ 52 ମୃତଦେହ:-ଦୁର୍ଘଟଣାକୁ ମାସେ ବିତିଲାଣି । ହେଲେ ଏମ୍ସରେ ଏବେ ବି 52 ମୃତଦେହ ଚିହ୍ନଟ ଅପେକ୍ଷାରେ ରହିଛି । ଅର୍ଥାତ ମୃତଦେହର ପରିଚୟ ଏଯାଏଁ ମିଳି ପାରୁନାହିଁ । ଦାବିଦାରଙ୍କ ଡିଏନଏ ନମୁନା ସହ ମୃତଦେହରୁ ସଂଗୃହୀତ ଡିଏନଏ ରିପୋର୍ଟ ମେଳ କରାଯିବା ପରେ ମୃତଦେହ ହସ୍ତାନ୍ତର କରାଯାଉଛି । କିନ୍ତୁ ମୃତଦେହକୁ ନେଇ ଦ୍ବନ୍ଦ୍ବ ଦୂର ହୋଇପାରୁନାହିଁ । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 293 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି କଟକ ବଡ଼ ମେଡିକାଲ, ଭୁବନେଶ୍ବରର ଏମ୍ସରେ ବହୁ ଆହତଙ୍କ ଚିକିତ୍ସା ଚାଲିଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details