ରାୟପୁରରେ ସରିଲା କଂଗ୍ରେସର 3 ଦିନିଆ ମହାଧିବେଶନ, ଫୋକସରେ 2024 ସାଧାରଣ ନିର୍ବାଚନ ଭୁବନେଶ୍ବର/ରାୟପୁର:ଛତିଶଗଡ ରାଜଧାନୀ ରାୟପୁରରେ ଅଖିଳ ଭାରତୀୟ କଂଗ୍ରେସ କିମିଟ ପକ୍ଷରୁ ଆୟୋଜିତ 3ଦିନିଆ ମହାଧିବେଶନ ଆଜି ଶେଷ ହୋଇଛି । ଆଗକୁ ଆସୁଥିବା 2024 ସାଧାରଣ ନିର୍ବାଚନରେ ଦଳ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି । କଂଗ୍ରେସକୁ ସଶକ୍ତ ଏବଂ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ ହେବା ସହ ଦେଶବାସୀଙ୍କ ପାଖରେ ଆସ୍ଥାଭାଜନ ହେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ଦଳ । ଏଥିରେ 6ସୁତ୍ରୀ ଏଜେଣ୍ଡା ଉପରେ ଚୂଡାନ୍ତ ନିଷ୍ପତ୍ତି ହୋଇଛି । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ, ରାହୁଲ, ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଅଂଶଗ୍ରହଣ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବୃଦ୍ଧି କରିଥିଲେ ।
ରାୟପୁରରେ ଏହା ହେଉଛି ଦଳର ୮୫ତମ ମହାଅଧିବେଶନ । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ,ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ଶୁଖୁ , ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ, ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁରଜେଓ୍ବାଲା, ଶଶୀ ଥରୁର ଏବଂ ବହୁ ଆଗଧାଡିର ନେତା ଅଂଶଗ୍ରହଣ କରିଥିଲେ ।
ଏହି ମହାଧିବେଶନରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସଭାପତି,ବିଭିନ୍ନ ରାଜ୍ୟର କଂଗ୍ରେସ ବିଧାୟକ ଦଳ ନେତା, ଏଆଇସିସି ଏବଂ ପିସିସିର ପ୍ରାୟ ୧୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ । ଦିବଙ୍ଗତ କଂଗ୍ରେସ ନେତୃବୃନ୍ଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଏଥିରେ ଓଡ଼ିଶାର ପୂର୍ବତନ ସାଂସଦ ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକଙ୍କ ସହ ଦେଶର ଅନେକ ଦିବଙ୍ଗତ ନେତାଙ୍କ ପାଇଁ ଶୋକପ୍ରକାଶ କରାଯାଇ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
୮୫ତମ ଅଧିବେଶନରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ଖଡଗେ କହିଥିଲେ, ‘‘ଏକ ବିଭାଜନକାରୀ ଶକ୍ତି ଭାରତବର୍ଷକୁ ବିଭାଜନ କରିବା ସହିତ ଅର୍ଥନୈତିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ଦୁର୍ବଳ କରିବାରେ ଚକ୍ରାନ୍ତ ଚଳାଇଛନ୍ତି । ଦେଶର ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯେଉଁ ସବୁ ସଂସ୍ଥାଗୁଡିକ ଗଠନ କରାଯାଇଥିଲା, ତାହାକୁ ଆଜିର ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଅକ୍ତିଆର କରିନେଇଛନ୍ତି ।’’
ସଂସଦରେ ସରକାରଙ୍କୁ ଯେଉଁ ସବୁ ପ୍ରଶ୍ନ କରାଯାଇଛି, ସେଗୁଡିକର ଉତ୍ତର ଦେବା ପରିବର୍ତ୍ତେ ପ୍ରଶ୍ନକର୍ତ୍ତାଙ୍କ ଭାଷଣକୁ ସଂସଦର ବିବରଣୀରୁ ବାଦ ଦିଆଯାଉଛି । ଏହି ଶକ୍ତିମାନଙ୍କ ବିରୁଦ୍ଧରେ କଂଗ୍ରେସ ଦଳ ପ୍ରତ୍ୟେକ ସ୍ତରରେ ଲଢେଇ କରୁଛି ଏବଂ ଆଗକୁ ମଧ୍ୟ କରିବ । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡୋ ଯାତ୍ରାର ଅଦ୍ଭୁତ ସଫଳତା ଏହି ଶକ୍ତିମାନଙ୍କୁ ଚିନ୍ତାରେ ପକାଇଛି । କଂଗ୍ରେସ ଦଳ ଏକମାତ୍ର ଦଳ ଯେଉଁ ଦଳରେ କି ଜଣେ ବ୍ଲକ କଂଗ୍ରେସ ସଭାପତି ସେହି ଐତିହାସିକ ଦଳର ସଭାପତି ହୋଇପାରିଛନ୍ତି । ଏହା ମୋ ପାଇଁ ବିଶେଷ ଗର୍ବର କଥା ବୋଲି ଖଡଗେ କହିଥିଲେ ।
ସୋନିଆ ଗାନ୍ଧି ତାଙ୍କ ଅଭିଭାଷଣରେ ନବନିର୍ବାଚିତ ସଭାପତି ଖଡଗେଙ୍କୁ ଧନ୍ୟବାଦ ଦେବା ସହିତ କଂଗ୍ରେସ ଦଳ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରାରେ ସବୁବେଳେ ପାଇଁ ପରିଚାଳିତ ହେଉ ବୋଲି ଆଶାପୋଷଣ କରିଥିଲେ । ସମାଜର ପ୍ରତ୍ୟେକ ବର୍ଗର ବିକାଶ ହେବା ନିତ୍ୟାନ୍ତ ଜରୁରୀ । ବିଶେଷ କରି ମହିଳାମାନଙ୍କର ଅର୍ଥନୈତିକ, ଶିକ୍ଷା, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ନିତ୍ୟାନ୍ତ ଜରୁରୀ ।ସାମ୍ବିଧାନିକ ଅନୁଷ୍ଠାନର ସୁରକ୍ଷା ଏବଂ ନ୍ୟାୟାଳୟର ସ୍ବାଧୀନତାକୁ ବଜାୟ ରଖିବାକୁ ପଡିବ । କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ମନପ୍ରାଣ ଦେଇ ନିଜ ନିଜ ରାଜ୍ୟରେ ବୁଥ ସ୍ତରରୁ ଜୋରଦାର ଉଦ୍ୟମ କରିବାକୁ ପଡିବ । କଂଗ୍ରେସ ହିଁ କେବଳ ଏ ଦେଶର ଜନଗଣଙ୍କ ସ୍ୱାର୍ଥ ରକ୍ଷା କରିପାରିବ ବୋଲି ସୋନିଆ କହିଥିଲେ ।
ମହାଧିବେଶନରେ ମୋଟ 6ଟି ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତିକ୍ରମେ ପାରିତ କରାଯାଇଥିଲା । କଂଗ୍ରେସ ସମ୍ବିଧାନର ପରିବର୍ତ୍ତନ ପାଇଁ ମତ ଗ୍ରହଣ କରାଯାଇଥିଲା ଏବଂ ତାହା ମଧ୍ୟ ପାରିତ ହୋଇଥିଲା ମହିଳା, ଆଦିବାସୀ, ପଛୁଆ,ଜନଜାତି, ସଂଖ୍ୟାଲଘୁ ବର୍ଗଙ୍କ ପାଇଁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ୫୦ ପ୍ରତିଶତ ସରକ୍ଷଣ ଦିଆଯିବ । ୫୦ ବର୍ଷରୁ କମ ଯୁବକ,ଯୁବତୀଙ୍କୁ ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ସାଂସଦ ନିର୍ବାଚନ ପର୍ଯ୍ୟନ୍ତ ୫୦ ପ୍ରତିଶତ ସିଟ ଦିଆଯିବା ନେଇ ନିଷ୍ପତ୍ତି ।
କଂଗ୍ରେସ ନିଜସ୍ୱ ସମ୍ବିଧାନର ଅଧିକ କ୍ରିୟାଶୀଳ କରିବ । ମହିଳା, ଯୁବକ,ହରିଜନ, ଓବିସିଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ ହେବ। କୃଷି ଆଉ କୃଷକର ଉନ୍ନୟନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଆଯିବ । 2009ରେ କଂଗ୍ରେସ ସମୟରେ ଆରମ୍ଭ ହୋଇଥିବା ଜାତୀୟ ଜୀବିକା ମିଶନକୁ ଗୁରୁତ୍ୱ ଦେଇ ମହିଳା ସଶକ୍ତିକରଣ କରାଯିବ । କଂଗ୍ରେସ କ୍ଷମତାରେ ଆସିଲେ ମହିଳାମାନଙ୍କ ସମସ୍ତ ସୁବିଧା, ସୁଯୋଗ,ସ୍ୱାସ୍ଥ୍ୟ ପ୍ରଦାନ କରିବ।
ଯୁବକମାନଙ୍କୁ ରୋଜଗାର ସୁନିଶ୍ଚିତ କରାଯିବ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରୋଜଗାରକୁ ପ୍ରାଧାନ୍ୟ ଦିଆଯିବ । ଆର୍ଥିକ କ୍ଷେତ୍ରରେ ସଂସ୍କାର ଅଣାଯିବ ଜିଏସଟିର ସରଳୀକରଣ କରାଯିବ । ଜାତୀୟ ସମ୍ପତିକୁ ପୁଞ୍ଜିପତିଙ୍କ ହାତରୁ ଅଣାଯିବ । ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଜାତୀୟ ଶିକ୍ଷାନୀତି ପରିବର୍ତ୍ତନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ ହୋଇଛି ।
ଓଡିଶାରୁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଏସ.ରାଜେନ ଏକ୍କା, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୁଧିଷ୍ଠିର ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠୀ, ନକୁଳ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଛାତ୍ର ସଭାପତି ୟାଶୀର ନୱାଜ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ