ଓଡିଶା

odisha

ETV Bharat / state

Padmapur By-Poll: ଚାଷୀ ଓ ଫସଲ ବିମା ମୁଖ୍ୟ ପ୍ରସଙ୍ଗ, ବିଜେପି-ବିଜେଡି ଦୋଷ ଲଦାଲଦି

ପଦ୍ମପୁର ଉପନିର୍ବାଚନ ନେଇ ସରଗରମ ରାଜ୍ୟ ରାଜନୀତି । ସେପଟେ ଫସଲ ବୀମା ରାଶିରୁ ବଞ୍ଚିତ ହୋଇ ଆନ୍ଦଳନରେ ଚାଷୀ । ବିଜେଡି ଓ ବିଜେପି ପରସ୍ପରକୁ ଏନେଇ ଦୋଷ ଦେଉଥିବାବେଳେ ଫାଇଦା ହାସଲ କରିବାକୁ କଂଗ୍ରେସ ପ୍ରସ୍ତୁତ । ତେବେ ନିର୍ଣ୍ଣାୟକ ହୋଇଥିବା ଚାଷୀଙ୍କ ଭୋଟ କେଉଁଆଡ଼େ ଯାଉଛି ତାହା ଉପରେ ରାଜ୍ୟବାସୀଙ୍କ ନଜର । ଅଧିକ ପଢ଼ନ୍ତୁ

Padmapur By Poll: ଚାଷୀ ଓ ଫସଲ ବିମା ମୁଖ୍ୟ ପ୍ରସଙ୍ଗ, ବିଜେପି ବିଜେଡି ଦୋଷ ଲଦାଲଦି
Padmapur By Poll: ଚାଷୀ ଓ ଫସଲ ବିମା ମୁଖ୍ୟ ପ୍ରସଙ୍ଗ, ବିଜେପି ବିଜେଡି ଦୋଷ ଲଦାଲଦି

By

Published : Nov 15, 2022, 10:51 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବାବେଳେ ସରଗରମ ହେଉଛି ରାଜ୍ୟ ରାଜନୀତି । ସେପଟେ ଫସଲ ବୀମା ରାଶିରୁ ବଞ୍ଚିତ ହୋଇ ଆନ୍ଦଳନରେ ଚାଷୀ । ଫସଲ ବୀମା ଚାଷୀଙ୍କ ପାଖରେ ପହଞ୍ଚି ପାରୁନଥିବାବେଳେ ବିଜେଡି ଓ ବିଜେପି ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ । ସେପଟେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଝଗଡ଼ା ମଧ୍ୟରେ କଂଗ୍ରେସ ଫାଇଦା ନେବାକୁ ପ୍ରସ୍ତୁତ ହେଲାଣି ।

Padmapur By Poll: ଚାଷୀ ଓ ଫସଲ ବିମା ମୁଖ୍ୟ ପ୍ରସଙ୍ଗ, ବିଜେପି ବିଜେଡି ଦୋଷ ଲଦାଲଦି

କେନ୍ଦ୍ରକୁ ଦୋଷ ଦେଲେ ରାଜ୍ୟ କୃଷିମନ୍ତ୍ରୀ

ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳୁ ନଥିବାବେଳେ ବିଜେଡି ସରକାରର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅବହେଳା କାରଣରୁ ଫସଲ ବୀମା ଅର୍ଥ ଚାଷୀଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ । ସେ କହିଛନ୍ତି, "ରାଜ୍ୟରେ କୃଷିମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ବିଭିନ୍ନ କୃଷି ଭିତ୍ତିକ କାର୍ଯ୍ୟ ରାଜ୍ୟ ସରକାରଙ୍କ ତରଫରୁ ତ୍ବରିତ ହେଉଛି । ତେବେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି, ଆମ ରାଜ୍ୟର ଚାଷୀମାନଙ୍କୁ ବାକିଥିବା ବୀମା ଟଙ୍କା ତୁରନ୍ତ ପ୍ରଦାନ କରନ୍ତୁ ।"

'ଫସଲ ବୀମାକୁ ନେଇ ରାଜ୍ୟ ସରକାର ଡ୍ରାମା କରୁଛନ୍ତି'

ବୀମା ରାଜନୀତିକୁ ନେଇ ଜବାବ ରଖିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ରାଜ୍ୟ ସରକାର ଫସଲ ବୀମାକୁ ନେଇ ଡ୍ରାମା କରୁଛନ୍ତି । ଚାଷୀଙ୍କୁ ଯଦି କେହି ଅବହେଳା କରିଥାଏ ସିଏ ହେଉଛି ରାଜ୍ୟ ସରକାର । ସମଗ୍ର ରାଜ୍ୟରେ ଏବେ ଚାଷୀ ମାରଣ ବ୍ୟବସ୍ଥା ଚାଲିଛି । ସରକାରଙ୍କ ଅବହେଳା କାରଣରୁ ଚାଷୀ ହନ୍ତସନ୍ତ ହେଉଛନ୍ତି ।" ତେବେ ଆଉ ଏଭଳି ମିଛ ରାଜନୀତି କରି ପଦ୍ମପୁରବାସୀଙ୍କୁ ବିଜେଡି ଭୁଆଁ ନବୁଲାଉ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ।

ଫାଇଦା ନେବ କଂଗ୍ରେସ !

ପଦ୍ମପୁର ରାଜନୀତିର ଗଣିତ ଜଟିଳ ହେଉଥିବାବେଳେ ଉଭୟ ବିଜେଡି ଓ ବିଜେପି ଝଗଡ଼ାର ଫାଇଦା କଂଗ୍ରେସକୁ ଯିବ ବୋଲି ଆଲୋଚନା ହେଉଛି । ରାଜନୀତି ସମୀକ୍ଷକ ରବିଦାସ କହିଛନ୍ତି, "ପଦ୍ମପୁର ଉପନିର୍ବାଚନ ବିଜେଡି ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । ଧାମନଗର ହାରିବା ପରେ ଚାପରେ ଅଛି ଶାସକ ଦଳ । କାରଣ ଏଠି ଜିତିନପାରିଲେ 2024 ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡିବ । ବିଜେଡି ପାଇଁ ଅନୁକମ୍ପା ଭୋଟ ମଧ୍ୟ ଫ୍ୟାକ୍ଟର ରହିବ ।" ଅନଭିଜ୍ଞ ହେଲେ ମଧ୍ୟ ଶିକ୍ଷାଗତ ଯୋଗ୍ୟତାକୁ ଦେଖି ବର୍ଷାଙ୍କୁ ଟିକେଟ ଦେଇଛି ବିଜେଡି । ଗୋଟିଏ ପଟେ ବିଜେପି କୃଷକଙ୍କ ସହିତ ରହିଥିବା କଥା ନାମାଙ୍କନ ଦାଖଲ ନକରି ପ୍ରମାଣ କରୁଥିବାବେଳେ କଂଗ୍ରେସ ପ୍ରାର୍ଥୀ ପୁରୁଖା ନେତା ହୋଇଥିବାରୁ ପୂର୍ବ ଭୋଟ ରକ୍ଷା କରିବାରେ ସହାୟକ ହୋଇପାରେ । ତେଣୁ ଫାଇଦା କଂଗ୍ରେସକୁ ମଧ୍ୟ ମିଳିପାରେ ।

ବିଜେଡି ଓ ବିଜେପି ମଧ୍ୟରେ ପଦ୍ମପୁରକୁ ନେଇ ଟଣାଓଟରା ରାଜନୀତି ଭିତରେ ଉଭୟଙ୍କ ଭିତରେ ସମ୍ପର୍କ ରହିଛି, ତେଣୁ କଂଗ୍ରେସକୁ ଜନସାଧାରଣ ଭରସା କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେପଟେ ଚାଷୀଙ୍କ ଆନ୍ଦୋଳନ ମଧ୍ୟ ଜାରି ରହିଛି । ଫସଲ ବୀମା ଯୋଜନାରେ ନ୍ୟାୟ ମିଳିବାକୁ ଦାବି ରଖିବା ସହିତ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ମଧ୍ୟ ଏବେ ରାଜନୀତି ମାହୋଲକୁ ଅଧିକ ଗରମ କରିଛି । ଚାଷୀ ଓ ଚାଷକୁ ଉଭୟ ଶାସକ ଓ ବିରୋଧି ନିର୍ବାଚନୀ ପ୍ରସଙ୍ଗ କରିଥିବାବେଳେ ନିର୍ଣ୍ଣାୟକ ହୋଇପଡିଥିବା ଚାଷୀଙ୍କ ଭୋଟ କୁଆଡେ ଯାଉଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details