ଓଡିଶା

odisha

ETV Bharat / state

୧୪ରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀ ସମ୍ମିଳନୀ, ଯୋଗଦେବେ ସମସ୍ତ ଜିଲ୍ଲାପାଳ

ଆସନ୍ତା ଫେବୃୟାରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରିଷ୍ଠ ଅଧିକାରୀ ସମ୍ମିଳନୀ । ଗତ ୨ବର୍ଷର ବ୍ୟବଧାନ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏଥିରେ ଯୋଗଦାନ କରିବେ । ଅଧିକ ପଢନ୍ତୁ

By

Published : Feb 11, 2023, 8:18 PM IST

Lokaseba bhawan
Lokaseba bhawan

ଭୁବନେଶ୍ବର:ଗତ ୨ ବର୍ଷ ବ୍ୟବଧାନରେ ପୁନର୍ବାର ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟର ବରିଷ୍ଠ ଅଧିକାରୀଙ୍କର ସମ୍ମିଳନୀ । ଆସନ୍ତା ୧୪ ଓ ୧୫ ତାରିଖରେ ଆୟୋଜିତ ହେବ ରାଜ୍ୟର ବରିଷ୍ଠ ଅଧିକାରୀଙ୍କର ସମ୍ମିଳନୀ । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୨ ଦିନିଆ ସମ୍ମିଳନୀ ଆୟୋଜନ ନେଇ ସ୍ଥିର ହୋଇଛି । ପ୍ରଥମ ଦିନ ଲୋକସେବା ଭବନ ସମ୍ମିଳନୀ କକ୍ଷ ଓ ଦ୍ବିତୀୟ ଦିନ କୋଣାର୍କ ଇକୋ ରିଟ୍ରିଟରେ ଏହା ଆୟୋଜିତ ହେବ । ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନେ ସମ୍ମିଳନୀରେ ଯୋଗ ଦେବେ ।

ସମ୍ମିଳନୀରେ ସରକାରୀ ବ୍ୟବସ୍ଥାରେ ଅଣାଯାଉଥିବା ରୂପାନ୍ତରୀକରଣ, ସହରାଞ୍ଚଳରେ ସେବା ଯୋଗାଣ, ଗୁଣାତ୍ମକ ସ୍ବାସ୍ଥ୍ୟ ସେବା, ମିଶନ ଶକ୍ତି ଓ କ୍ଷୁଦ୍ର ଶିଳ୍ପ, ଫସଲ ବିବିଧୀକରଣ, ସରକାରୀ ବ୍ୟବସ୍ଥାରେ ବୈଷୟିକ ଜ୍ଞାନର ପ୍ରୟୋଗ, ଦକ୍ଷତା ବିକାଶ ଭଳି ପ୍ରସଙ୍ଗ ଉପରେ ପ୍ରଥମ ଦିନ ଆଲୋଚନା ହେବ । ଏଥି ସହିତ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଏବଂ ପ୍ରଶାସନରେ ୫ଟି ଜରିଆରେ ଆସୁଥିବା ରୂପାନ୍ତରଣ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହେବ । କୋଣାର୍କରେ ଦ୍ବିତୀୟ ଦିନରେ ଷ୍ଟାର୍ଟଅପ ଓ ଏମଏସଏମଇ, ବିଦ୍ୟାଳୟରେ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା, କୃଷି ଜରିଆରେ ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବା, ପର୍ଯ୍ୟଟନର ବିକାଶ, ଗ୍ରାମାଞ୍ଚଳରେ ସେବା ପ୍ରଦାନ, ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗରେ ଉନ୍ନତି, ବ୍ୟାଙ୍କିଂ ସେବା ଯୋଗାଣ ପ୍ରସଙ୍ଗରେ ଆଲୋଚନା ହେବ ।

ଏହା ବି ପଢନ୍ତୁ- ଧାନ କେବଳ ଖାଦ୍ୟ ନୁହେଁ, ଆମର ସଂସ୍କୃତି ପରମ୍ପରା ସହ ଜଡିତ: ରାଷ୍ଟ୍ରପତି

ରାଜ୍ୟରେ ୫ଟି କାର୍ଯ୍ୟକ୍ରମ ଜରିଆରେ ଗ୍ରହଣ କରାଯାଉଥିବା ରୂପାରନ୍ତରୀକରଣ ପଦକ୍ଷେପ ବାବଦରେ 5T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ସଚିବ ଓ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିବେ । ସେହିଭଳି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ କିଭଳି ଅଗ୍ରାଧିକାର ଦିଆଯାଇପାରିବ ସେଥିପାଇଁ ପ୍ରସ୍ତୁତ ହେଉଥିବା କାର୍ଯ୍ୟ ଯୋଜନା ସଂକ୍ରାନ୍ତରେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ଆଲୋଚନା କରିବେ । ଲୋକାଭିମୁଖୀ ରାଜସ୍ବ ପ୍ରଶାସନ ବ୍ୟବସ୍ଥା ଉପରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟରେ ବ୍ୟାଙ୍କିଂ ବ୍ୟବସ୍ଥାର ସମ୍ପ୍ରସାରଣ ସଂକ୍ରାନ୍ତରେ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ।

ସେହିପରି ଜଳସେଚନ ମାଧ୍ୟମରେ ଗ୍ରାମାଞ୍ଚଳ ଅର୍ଥନୀତିର ସୁଦୃଢୀକରଣ ଉପରେ ଜଳସମ୍ପଦ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟଟନ ବିଭାଗର ଅତରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗୁଣାତ୍ମକ ସ୍ବାସ୍ଥ୍ୟସେବା ଉପରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ନଗର ଉନ୍ନୟନ ସେବାକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ସୁବିସ୍ତୃତ ଆଲୋଚନା କରିବେ । ରାଜ୍ୟରେ ଲୋକାଭିମୁଖୀ ରାଜସ୍ବ ପ୍ରଶାସନ ଓ ଏହାର ସୁଦୃଢୀକରଣ ସହିତ ଜନଜାତି ସଶକ୍ତିକରଣ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରାଯିବ । ସମସ୍ତ ଜିଲ୍ଲାପାଳ, ବିଭାଗୀୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଫିସରମାନେ ୨ଦିନିଆ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବେ । କୋଭିଡ଼ ଯୋଗୁଁ ପ୍ରତ୍ୟକ୍ଷ ଭାବେ ଜିଲ୍ଲାପାଳ ସମ୍ମିଳନୀ ହୋଇପାରୁନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details