ଭୁବନେଶ୍ବର:ଠାକୁରଙ୍କୁ ଦର୍ଶନ ପାଇଁ ବାଧକ ସାଜିଛି ଚଉଡା ରାସ୍ତା । ପ୍ରତ୍ୟକ୍ଷ ଠାକୁର କୁହାଯାଉଥିବା ବାବା କପିଳନାଥଙ୍କ ମନ୍ଦିର ପୁରୁଣା ଭୁବନେଶ୍ବରର କପିଳେଶ୍ବର ଅଞ୍ଚଳରେ ରହିଛି । ହେଲେ ମନ୍ଦିରକୁ ଯିବା ଆସିବା କରିବା ପାଇଁ ପ୍ରଶସ୍ତ ରାସ୍ତା ନଥିବାରୁ ଭକ୍ତମାନେ ଏଠାକୁ ସହଜରେ ଆସିପାରୁନାହାନ୍ତି । ଏପରିକି ତୀର୍ଥ ଯାତ୍ରୀ ବସ ଆସିପାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏଠାକାର ସେବାୟତ । କେବଳ ସେତିକି ନୁହେଁ, ଏଠାକାର ସେବାୟତମାନେ ଦିନ ରାତି ସେବା କରୁଥିଲେ ମଧ୍ୟ ପାଉଣା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ।
ସେବାୟତମାନେ ଅଭିଯୋଗ କରି କହିଛନ୍ତି, "କୌଣସି ପାଉଣା ମିଳୁନଥିବାରୁ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଛି । ଏଠାକାର ସେବାୟତମାନେ ପ୍ରାୟତଃ ମନ୍ଦିର ଜମିରେ ବସବାସ କରୁଛନ୍ତି । ହେଲେ କାହାରିକୁ ଜମି ପଟ୍ଟା ମଧ୍ୟ ମିଳିନାହିଁ ।" ବିଶ୍ବାସର ଠାକୁର କପିଳନାଥଙ୍କ ନିକଟରେ ଭକ୍ତମାନେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପାଇଁ ଆସନ୍ତି । ଏହି ସେବାୟତମାନେ ସେମାନଙ୍କୁ ବାବା କପିଳନାଥଙ୍କ ଦର୍ଶନ କରାଇଥାନ୍ତି । ବିଶେଷ କରି ମଲିଆ ସେବାୟତମାନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ସେବା କରୁଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରାପ୍ୟ ମିଳୁନଥିବା କହିଛନ୍ତି। ବଂଶାନୁକ୍ରମିକ ଭାବେ ଏହି ପୂଜା ସେମାନେ କାହିଁ କେଉଁ କାଳରୁ କରିଆସିଛନ୍ତି । ହେଲେ ସେମାନଙ୍କ ଦୁଃଖ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ନୂଆ ପୋଲ ନିର୍ମାଣ ପାଇଁ ଭଙ୍ଗା ଗଲା ପୁରୁଣା ପୋଲ, ଦୀର୍ଘଦିନ ବିତିଗଲା ପରେ ବି ଆରମ୍ଭ ହୋଇନି କାମ