ଭୁବନେଶ୍ବର: ୨୦୨୩-୨୪ ଶିକ୍ଷା ବର୍ଷରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ୨୪ ତାରିଖରୁ ଆରମ୍ଭ ହୋଇଛି । ଏହି ଏକକ ପରୀକ୍ଷା ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କେବଳ ଜୁନ ୨୮ ତାରିଖ ଓ ୩୦ ତାରିଖରେ ପ୍ରବେଶିକା ପରୀକ୍ଷା ହେବ ନାହିଁ । ଯେହେତୁ ରାଜ୍ୟ ସରକାର ୨୯ ତାରିଖରେ ସରକାରୀ ଛୁଟି ଘୋଷଣା କରିଛନ୍ତି ତେବେ ଏହି ଦିନରେ ମଧ୍ୟ ଏକକ ପରୀକ୍ଷା କରାଯିବ ।
ପୂର୍ବ ସୂଚୀ ଅନୁଯାୟୀ, ଆସନ୍ତାକାଲି (ଗୁରୁବାର) ପରୀକ୍ଷା କରାଯିବ । ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଗତ ୧ ତାରିଖରୁ ଆବେଦନ ଆରମ୍ଭ ହୋଇଥିଲା । ମୋଟ ୧୦୬ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭ ହଜାର ୩୮୩ ଆସନ ଥିବା ବେଳେ ପ୍ରବେଶିକା ପରୀକ୍ଷା ନିମନ୍ତେ ୫୩ ହଜାର ୬୪୧ ଜଣ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଅନଲାଇନ ଆବେଦନ କରିଛନ୍ତି । ତେବେ ଏହି ପରୀକ୍ଷା ଏସଏସବି ଦ୍ୱାରା ପରୀକ୍ଷା ପରିଚାଳିତ ହେଉଛି । ପ୍ରବେଶିକା ପରୀକ୍ଷାର ୮୦ ପ୍ରତିଶତ ଓ ୨୦ ପ୍ରତିଶତ କ୍ୟାରିୟର ମାର୍କକୁ ଭିତ୍ତି କରି ପିଲାଙ୍କୁ ସିଟ ଆବଣ୍ଟନ କରାଯିବ । ରାଜ୍ୟରେ ୨୧ଟି ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଏହି ପ୍ରବେଶିକା ପରୀକ୍ଷା କରାଯାଉଛି ।