ଭୁବନେଶ୍ବର:କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ୫ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧ କୋଟି ୨ ଲକ୍ଷ ଟଙ୍କା ଜବତ କରିଛି । ଏଥିସହ ସୁନା ହାର ଓ ଚେନ ସମେତ ମୁଦି ଏବଂ ବନ୍ଧୁକ ଜବତ କରିଛି କମିଶନରେଟ ପୋଲିସ । ଗତ ୨ ତାରିଖରେ ଇନଫୋସିଟି ଥାନା ନନ୍ଦନ ବିହାର ଥାନା ଅଞ୍ଚଳରେ ଜଣଙ୍କ ଘରେ ସିବିଆଇ ରେଡ ଆଳରେ ପଶି ୨ କୋଟି ଟଙ୍କା ଲୁଟ କରିଥିଲେ । ଏହି ଘଟଣାରେ ଏବେ ବି ୪ ଅଭିଯୁକ୍ତ ଫେରାର ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ୨ ତାରିଖରେ ଇନଫୋସିଟି ଥାନା ନନ୍ଦନ ବିହାର ଥାନା ଅଞ୍ଚଳର ନିବାରଣ ପାଣିଙ୍କ ଘରୁ ୨ କୋଟି ଲୁଟ ହୋଇଥିଲା । ଅଭିଯୁକ୍ତଙ୍କ ମଧ୍ୟରୁ ଫେରାର ଥିବା ବାଦଲ, ଲୁଟ ପଛର ମୁଖ୍ୟ ସୁତ୍ରଧର । କାରଣ ନିବାରଣ ପାଣିଙ୍କ ଘରେ ପୂର୍ବରୁ ସେ ଡ୍ରାଇଭର ଥିଲା । ସେହି ଆଧାରରେ ଅନ୍ୟ ୮ ଅଭିଯୁକ୍ତଙ୍କ ସହ ମିଶି ତାଙ୍କ ଘରୁ ଡକାୟତି କରିଥିଲା । ପ୍ରଥମେ ନିଜକୁ ସିବିଆଇ ଅଫିସର କହି ଘରେ ପଶିଥିଲେ, ପରେ ଘର ଲୋକଙ୍କ ମୁହଁକୁ ସେଲୋ ଟେପ୍ରେ ବାନ୍ଧି ଘରେ କଳାକନା ବୁଲାଇଥିଲେ । ଲୁଟ୍ ପରେ ସେମାନେ ଟଙ୍କା ଓ ଗହଣାକୁ ଭାଗ ବାଣ୍ଟି ଅଲଗା ହୋଇଗଲେ । ପୋଲିସ ଏହି ଘଟଣାର ତଦନ୍ତ କରି ଦୀର୍ଘ ୨୫ଦିନ ପରେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଧ୍ୟରେ ଅନୁଗୋଳ ରେଙ୍ଗାଲିର ହେମନ୍ତ ଧୀର, ସନାତନ ନାହାକ, କେନ୍ଦ୍ରାପଡ଼ାର ଅରବାଜ ଖାନ, ଖୋର୍ଦ୍ଧାର ଆଉ ୨ଜଣଙ୍କୁ ଗିରଫ କରାଯାଇଛି । ତେବେ ହେମନ୍ତ ଧୀର ଅନ୍ୟ ଦୁଇ ସହଯୋଗୀ ସନା ଓ ବାଦଲ ତିନି ଜଣ ଅନୁଗୋଳର ବୋଲି ଜଣାପଡିଛି ।