ଭୁବନେଶ୍ବର:ଆଉ ଅପରାଧରେ ବଦନାମ ହେବେନି ବସ୍ତି ମହିଳା । ଦୁଇ ପଇସା ରୋଜଗାର କରି ସ୍ବାବଲମ୍ବୀ ହେବେ । ସହାୟକ ହେଉଛି ପୋଲିସର ବସ୍ତି ଚାଲ ଅଭିଯାନ। ଏନେଇ ଗତ କିଛି ଦିନ ତଳେ କମିଶନରେଟ ପୋଲିସ ପକ୍ଷରୁ ବସ୍ତିର କିଛି ମହିଳାଙ୍କୁ ନେଇ କୁକିଙ୍ଗ୍ ଟ୍ରେନିଂ ଆରମ୍ଭ କରାଯାଇଥିଲା । ସୋଏମଆଇ ଫାଉଣ୍ଡେସନ ଜରିଆରେ ରାଜଧାନୀର ବିଭିନ୍ନ ବସ୍ତିର 30 ମହିଳାଙ୍କୁ କୁକିଂ ଟ୍ରେନିଂ ଦିଆ ଯାଇଥିଲା । ଏଥିରେ ୧୦ଜଣ ମହିଳା ସେମାନଙ୍କ ହାତ ରନ୍ଧାରେ କମାଲ କରି ନିଯୁକ୍ତି ଦାତାଙ୍କ ମନ ଜିତିଛନ୍ତି । ଏନେଇ ଭୁବନେଶ୍ୱରରେ ୧୦ଜଣଙ୍କୁ ନିଯୁକ୍ତ ମିଳିଛି ।
କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 10 ମହିଳାଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଯେଉଁମାନେ ନିଯୁକ୍ତ ପାଇଛନ୍ତି, ସେମାନେ କିଛି ରାସ୍ତା କଡ଼ରେ ରହୁଥିବା ଫୁଡ ଷ୍ଟଲ ସମେତ ରିହାବିଲେସନ ସେଣ୍ଟର ଓ ନାଇଟୀ ସେଲଟରର ରୋଷେୟା ଭାବେ କାମ କରିବେ । ୧୦ଜଣ ମହିଳାଙ୍କୁ ନିଯୁକ୍ତି ମିଳିବା ପରେ ପୋଲିସ କମିଶନର କହିଛନ୍ତି," ଯେଉଁଭଳି ବସ୍ତିର ମହିଳା ଅପରାଧ ନେଇ ଚିତ୍ରଣ ହେଉଥିଲେ ତାହା ଏବେ ବଦଳିବ । ମହିଳାମାନେ ସ୍ବାବଲମ୍ବୀ ହେବେ । ଆଗାମୀ ଦିନରେ ଅନେକ ବଡବଡ କାର୍ଯ୍ୟକ୍ରମରେ ରୋଷେଇ କରିବା ସହ ନିଜେ ଫୁଡ ଷ୍ଟଲ ପକାଇ ରୋଜଗାରକ୍ଷମ ହୋଇପାରିବେ ।"