ଓଡିଶା

odisha

ETV Bharat / state

ବାହୁବଳୀ ବାଉନସରଙ୍କ ପାଇଁ SOP, ଆତଙ୍କ ଘଟାଇଲେ ପଡିବ ହାତକଡି

ସିକ୍ୟୁରିଟି ନାରେ ରାଜଧାନୀରେ ଆତଙ୍କରାଜ ଦେଖାଉଥିଲେ ବନ୍ଧାହେବେ ବାହୁବଳୀ ବାଉନସର । ଅଧିକ ପଢନ୍ତୁ

Commissionerate police new sop for bouncer
Commissionerate police realsed new sop for bouncer

By

Published : Jul 21, 2023, 7:47 AM IST

Commissionerate police introduce sop for bouncer

ଭୁବନେଶ୍ୱର:ରାଜଧାନୀରେ ଆଉ ଚଳିବନି ବାଉନସରଙ୍କ ଦାଦାଗିରି । ଅନେକ ସମୟରେ ବାଉନସର ମାନେ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିବା ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ସଜାଗ ହୋଇଛି କମିଶନରେଟ ପୋଲିସ । ଦାଦାଗିରି ଦେଖାଉଥିବା ବାଉନସରଙ୍କୁ ସାବାଡ କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିଛି ପୋଲିସ । ଏହି ଏସଓପି ଆଧାରରେ ବାଉନସରଙ୍କ ତଥ୍ୟ ରଖାଯିବ ।

ଯଦି କୌଣସି ବାଉନସର ଆଇନକୁ ହାତକୁ ନିଆନ୍ତି ତେବେ ସେହି ହାତରେ ହାତକଡ଼ି ପଡିବ । କାରଣ ରାଜଧାନୀରେ ଛତୁ ଫୁଟିବା ଭଳି ଖୋଲୁଛି ଘରୋଇ ସିକ୍ୟୁରିଟି ସଂସ୍ଥା । ଟଙ୍କା ରୋଜଗାର ଲକ୍ଷ୍ୟରେ ବିନା ସରକାରଙ୍କ ଅନୁମୋଦନରେ ସିକ୍ୟୁରିଟି ସଂସ୍ଥା କାମ କରୁଥିବା ବେଳେ ଏଥିରେ ଅଙ୍କୁଶ ଲଗାଇବା ପାଇଁ ଗୃହବିଭାଗ ଖୁବଶୀଘ୍ର ଆଣିବାକୁ ଯାଉଛି କଡା ଆଇନ । ସେପଟେ ଅଣସ୍ୱୀକୃତି ପ୍ରାପ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମୋଡ଼ରେ କମିଶନରେଟ ପୋଲିସ ।

ବାଉନସରଙ୍କ ପାଇଁ ଜାରି ଏସଓପି: ପାସରା (PASARA) ଅଧୀନରେ ବାଉନସର ମାନେ ରେଜିଷ୍ଟର ହୋଇଥିବା ଦରକାର । ଚାକିରି ପୂର୍ବରୁ ପୋଲିସ ଭେରିଫିକେସନ ଆବଶ୍ୟକ । ଯଦି ପୂର୍ବରୁ କେହି କାମ କରୁଛନ୍ତି ତେବେ ସମ୍ପୃକ୍ତ ଡ୍ୟାନ୍ସ ବାର ମାଲିକ ନିକଟସ୍ଥ ଥାନାରେ ଏ ନେଇ ଲିଖିତନାମା ଦାଖଲ କରିବେ । ଯାହା ନହେବା ଫଳରେ କାର୍ଯ୍ୟ କରୁଥିବା ସିକ୍ୟୁରିଟି ସଂସ୍ଥାକୁ ପିଏଫ ଓ ଇପିଏଫ ସଠିକ ଭାବେ ମିଳିପାରୁନାହିଁ । ତୁରନ୍ତ ଏସବୁ ଦିଗରେ ଧ୍ୟାନ ନଦେଲେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି ଡିସିପି ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ଧରି ବାରମ୍ବାର ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ସିଆରପି ଛକରେ ଜମି ପଜେସନ ହେଉ କିମ୍ବା OPD ବାର ସମ୍ମୁଖ ଗଣ୍ଡଗୋଳ । ଝାରପଡା ଅଞ୍ଚଳରେ ଭାଇଗିରି ପାଇଁ ହେଉ ଅଥବା ଏମ୍ବାସି ପବ ସମ୍ମୁଖରେ ଗଣ୍ଡଗୋଳ । ସବୁଠି ସାମ୍ନାକୁ ଆସିଥିଲା ଦଲାଲ ବାଉନସରଙ୍କ କାରନାମା । ସୁରକ୍ଷା ଦେବା ନାରେ ଅପରାଧ ଘଟାଉଥିଲେ ବାଉନସର । ତେଣୁ ବିନା ସିକ୍ୟୁରିଟି ସଂସ୍ଥାରେ ବେଆଇନ ବାଉନସର ଉପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ବାରମ୍ବାର ବାରରେ ଗ୍ରାହକ ଓ ବାଉନସରଙ୍କ ଭିତରେ ହାତାହାତୀ ହେବାପରେ ଏମାନଙ୍କ ଉପରେ ଲଗାମ ଲଗାଇବା ପାଇଁ କମିଶନରେଟ ପୋଲିସ ଆଣିଛି ଏସଓପି ।

ଏହା ମଧ୍ୟ ପଢନ୍ତୁ-ଟମାଟୋ ବିକ୍ରି ପାଇଁ ବାଉନସର ମୁତୟନ କରିଥିଲେ, 2ଜଣଙ୍କୁ ବାନ୍ଧିଲା ପୋଲିସ

ପ୍ରକାଶ ଥାଉକି, ଅଣ୍ଡର ସେକ୍ସନ ୫୮, ଅର୍ବାନ ଆକ୍ଟ ୨୦୦୩ ମୁତାବକ ଯଦି କୌଣସି ବାର, ପବ ନିୟମର ଉଲ୍ଲଘଂନ କରେ ତେବେ ଧାରା ୧୪୪ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆଇନଶୃଙ୍ଖଳା ପରିସ୍ଥିତି ସେଠାରେ ସୃଷ୍ଟି ହୁଏ, ତେବେ ୧୧୨କୁ କଲ କରି ପୋଲିସକୁ ଜଣାଇପାରିବେ । ବାରମ୍ବାର ଗଣ୍ଡଗୋଳ ଘଟଣା ନଜର ଆସିବା ପରେ ୩ଟି ପବକୁ ପୂର୍ବରୁ ସ୍କାନରକୁ ନେଇଥିଲା ଅବକାରୀ ବିଭାଗ । ଏହା ପରେ ବି ଯଦି ନିୟମ ଉଲ୍ଲଘଂନ କରି କୌଣସି ଗ୍ରାହକଙ୍କ ମାନବଧିକାର କ୍ଷୁର୍ଣ୍ଣ ହୁଏ, ତେବେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି । ଗତ ୧୦ ତାରିଖ ଦିନ ଏଭଳି ନିୟମ ଜାରି କରିଛି କମିଶନରେଟ ପୋଲିସ । ଅବକାରୀ ବିଭାଗକୁ ମଧ୍ୟ ଏନେଇ ଅବଗତ କରାଯାଇଛି । ସମସ୍ତ ଥାନାକୁ ବେଆଇନ ଭାବରେ କାର୍ଯ୍ୟ କରୁଥିବା ସିକ୍ୟୁରିଟୀ ସଂସ୍ଥା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପେଟ ସାରା ରାଜ୍ୟରେ ପାଖାପାଖି ୪୫୦ଟି ପଞ୍ଜିକୃତ ସିକ୍ୟୁରିଟି ସଂସ୍ଥା କାମ କରୁଥିବା ବେଳେ ଅଣ ପଞ୍ଜିକୃତ ସଂସ୍ଥାର ସଂଖ୍ୟା ପାଖାପାଖି ୧୦୦୦ । ପ୍ରଥମେ ଏହାକୁ କ୍ରାଇମବ୍ରାଞ୍ଚ ନିୟନ୍ତ୍ରଣ କରୁଥିବା ବେଳେ ପରେ ଷ୍ଟେଟ ଆର୍ମ ପୋଲିସ ଫୋର୍ସ ଓ ଏବେ ଗୃହ ବିଭାଗ ନିୟନ୍ତ୍ରଣ କରୁଛି । ସିକ୍ୟୁରିଟି ସଂସ୍ଥା ଖୋଲିବା ପାଇଁ ଜିଲ୍ଲା ମୁଖ୍ୟ ପୋଲିସ ଅଧିକାରୀଙ୍କ ଭେରୀଫିକେସନ ସାର୍ଟିଫିକେଟ ଆବଶ୍ୟକ । ସେହିପରି ଅନେକ ସଂସ୍ଥା ଯେଉଁ ଅଫିସ ଠିକଣା ଦେଉଛନ୍ତି ତାହା ବର୍ତ୍ତମାନ କାମ କରୁନାହିଁ । ଏନେଇ ନିଜେ ସିକ୍ୟୁରିଟି ସଂସ୍ଥା ମାଲିକ ଉଦବେଗ ପ୍ରକାଶ କରିବା ସହ ନକଲି ସଂସ୍ଥା ଅନେକ ଅପରାଧ ସହ ଜଡିତ ହେଉଥିବା ଯୋଗୁଁ ପୋଲିସ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ସିକ୍ୟୁରିଟି ସଂସ୍ଥା ମାଲିକ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details