ଭୁବନେଶ୍ବର: ମାଞ୍ଜା ସୁତା ପାଇଁ ବିପଦରେ ମଣିଷ ଜୀବନ । କେତେବେଳେ କେଉଁଠି ଘଟିପାରେ ଅଘଟଣ । ମକର ସଂକ୍ରାନ୍ତି ପାଖେଇ ଆସୁଥିବାରୁ ଏବେ ଗୁଡ଼ି ସୂତା ବଢ଼ାଇଛି ଚିନ୍ତା । ସେଥିପାଇଁ ଏସବୁ ସୂତାର ବିକ୍ରି ଉପରେ ରୋକ ଲଗାଇବାକୁ ଗଠନ ହୋଇଛି ଟିମ । କମିଶନରେଟ ପୋଲିସର ଜଣେ ଏସିପିଙ୍କ ନେତୃତ୍ବରେ ଖୁବଶୀଘ୍ର ଏହାର ବିକ୍ରି ଉପରେ ଚଢାଉ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ତରୁଣ ଦାସ ।
ତେବେ ଲକ୍ଷ୍ମୀ ସାଗର ଅଞ୍ଚଳର ସୁଜିତ ସେନାପତି ନାମକ ଜଣେ ଯୁବକ ବରମୁଣ୍ଡାରୁ ଘରକୁ ଫେରୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକ ପାଖ ଅଞ୍ଚଳରେ ଏକ ବୁଢିଆଣି ଜାଲ ପରି ତାଙ୍କ ମୁହଁରେ କିଛି ଗୁଡେଇ ହେବା ଅନୁଭବ କରିଥିଲେ । ପରେ ସେ ନିଜ ମୁହଁରୁ କିଛି ଗୁଡ଼ି ସୂତାକୁ ହାତରେ କାଢିବା ବେଳେ ତାଙ୍କ ହାତ କଟିବା ସହ ତାଙ୍କ କାନ ଓ ମୁହରୁ ମଧ୍ୟ ରକ୍ତ ବାହାରିଥିଲା । ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଥିଲେ ସୁଜିତ । ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ହୋଇଥିଲେ । ତେବେ ହାଇପ୍ରୋଫାଇଲ ଏରିଆରେ ଏପରି ଅଘଟଣ ପରେ ଏନେଇ ସତର୍କମୂଳକ ପଦକ୍ଷେପ ନେଇଛି କମିଶନରେଟ ପୋଲିସ । କାରଣ ଏବେ ଗଳି କନ୍ଦିରେ ଛୋଟପିଲା ଗୁଡି ଧରି ବୁଲୁଛନ୍ତି । କେଉଁଠି କିଏ କେଉଁ ସୂତା ବ୍ୟବହାର କରୁଛନ୍ତି । କିନ୍ତୁ କାହା ଅଜାଣତରେ ଏହି ସୂତାରେ ଜୀବନ ମଧ୍ୟ ଚାଲିଯାଇପାରେ । କାରଣ ଏସବୁ ସୂତା ଗୁଡିକ କାଚ ଗୁଣ୍ଡ ଭଳି ଜିନିଷରେ ପ୍ରସ୍ତୁତ । ଯାହାକି କାହା ବେକ, ହାତ ବା ଦେହରେ ବାଜିଲେ ରକ୍ତାକ୍ତ ହେବା ସହ ବିପଦ ଆଣିପାରେ ।
ଏହା ମଧ୍ୟ ପଢ଼ନ୍ତୁ...ମାଞ୍ଜା ସୂତା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ