ଓଡିଶା

odisha

ETV Bharat / state

କାମ କରୁନି ସରାଇ ଆପ, ହୋଟେଲରେ କିଏ ରହୁଛି ପୋଲିସ ପାଖରେ ଖବର ନାହିଁ !

ଜି20 ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି। ଅନ୍ୟପଟେ କାମ କରୁନି ହୋଟେଲରେ ରହୁଥିଲା ଲୋକଙ୍କ ଉପରେ ନଜର ରଖୁଥିବା ସରାଇ ଆପ। ଅଧିକ ପଢନ୍ତୁ

sarai app deactivate
sarai app deactivate

By

Published : Apr 29, 2023, 10:04 AM IST

ଭୁବନେଶ୍ବର:ସହରର ହୋଟେଲରେ ରହୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଥିଲା ସରାଇ ଆପ୍‌ । କିନ୍ତୁ ତାହା ଏବେ ଅଚଳ । ସରାଇ ଆପକୁ ଆର୍ଥିକ ଅଭାବରୁ ବନ୍ଦ କରିଦେଇଛି କମିଶନରେଟ ପୋଲିସ । ଫଳରେ ହୋଟେଲରେ ରହୁଥିବା ଲୋକଙ୍କ ଖବର ନାହିଁ ପୋଲିସ ପାଖରେ । ଗୋଟିଏ ପଟେ ଜି20 ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ସହରରେ ସୁରକ୍ଷାକୁ କଡାକଡି କରାଯାଇଥିବା ବେଳେ ଅନ୍ୟପଟେ କିନ୍ତୁ ବଡ ସୁରକ୍ଷା ଉପରୁ ପୋଲିସ ଯେପରି ନଜର ହଟାଇ ଦେଇଛି ।

ସହରରେ ପୁଳା ପୁଳା ଛୋଟ ବଡ଼ ହୋଟେଲ ରହିଛି । ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାର ସମେତ ବିଦେଶରୁ ଲୋକ ଆସି ମଧ୍ୟ ରହୁଛନ୍ତି । ହେଲେ ହୋଟେଲରେ କିଏ ରହୁଛି, କାହିଁକି ରହୁଛି, କେଉଁ ଉଦ୍ଦେଶ୍ୟରେ ରହୁଛି ସେ ନେଇ କିନ୍ତୁ କମିଶନରେଟ୍ ପୋଲିସ ପାଖରେ ଖବର ଅଛି କି ନାହିଁ ତାହା ଜଣାନାହିଁ ।

ହୋଟେଲ ଓ ଲଜରେ ରହି ଅପରାଧ ଘଟାଉଥିବା ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଗତ 2021ରେ ସରାଇ ଆପ ଲଞ୍ଚ କରିଥିଲା କମିଶନରେଟ ପୋଲିସ । ଗେଷ୍ଟ ହାଉସ ବା ହୋଟେଲରେ ରହୁଥିବା ପେଇଙ୍ଗ ଗେଷ୍ଟଙ୍କ ସମସ୍ତଙ୍କ ତଥ୍ୟ ଏହି ଆପରେ ଅପଡେଟ ହେଉଥିଲା । କେବେ କିଏ ଆସିଲେ, କିଏ କେଉଁଠି ରହିଲେ । ସେମାନଙ୍କ ଅସଲ ପରିଚୟ ଓ ପରିଚୟ ପତ୍ର ଡିଜିଟାଲ ଡାଟା ସବୁ ଆପରେ ହେଉଥିଲା ଅପଡେଟ । କିନ୍ତୁ ଏବେ ଆପ ଅଚଳ ହୋଇଯାଇଥିବାରୁ ହୋଟେଲ ଗୁଡିକରେ କିଏ ରହୁଛି କଣ କରୁଛି ତାହାର ତଥ୍ୟ ନାହିଁ ପୋଲିସ ପାଖରେ ।

ଆପ ବନ୍ଦ ହେବା ଯୋଗୁ ଏବେ ହୋଟେଲରେ ରହୁଥିବା ଲୋକଙ୍କ ଗତି ବିଧି ଉପରେ ସଠିକ ଭାବେ ନଜର ରଖିବା ସମ୍ଭବ ପର ହୋଇପାରୁନାହିଁ । ଜି 20 ସମ୍ମିଳନୀ ଉଦଯାପିତ ହୋଇଥିବା ବେଳେ ସମ୍ମିଳନୀ ସମୟରେ ସହରରେ କଡା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କିନ୍ତୁ ଅପରାଧୀଙ୍କ ଉପରେ ନଜର ରଖିବାକୁ ଆରମ୍ଭ ହୋଇଥିବା ଆପ କାମ ନକରିବା ଏବେ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା ଓ ବନ୍ଦୋବସ୍ତ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ବର୍ଷକ ତଳେ ହୋଟେଲରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ବା ସହରରେ ରହୁଥିବା ବିଦେଶୀ ଅତିଥିଙ୍କ ଉପରେ ନଜର ରଖିବାକୁ ସରାଇ ଆପକୁ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଯାହା ଦ୍ବାରା ପୋଲିସକୁ ହୋଟେଲକୁ ଆସିବାକୁ ପଡୁନଥିଲା । ପୋଲିସ ପାଖରେ ହୋଟେଲରେ ରହୁଥିବା ଅତିଥିଙ୍କ ତଥ୍ୟ ସଠିକ ସମୟରେ ପହଞ୍ଚିଯାଉଥିଲା । ଏବେ କିନ୍ତୁ ଏହି ଆପକୁ ଲଗ୍ ଇନ୍ କଲେ ଆସେସ ଡିନାଏ ଲେଖୁଛି । ଅର୍ଥାତ୍ ଏହା କାର୍ଯ୍ୟକ୍ଷମ ନାହିଁ ବୋଲି ଜଣାପଡିଛି । ଫଳରେ ହୋଟେଲ କର୍ତ୍ତୃପକ୍ଷ ଚିନ୍ତାରେ । କାରଣ ସହରରେ ସମ୍ମିଳନୀ ଆୟୋଜନ ସମୟରେ ପୋଲିସ କିପରି ସରାଇ ଆପ ଆଡ଼କୁ ଧ୍ୟାନ ହଟାଇ ଦେଇଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ହୋଟେଲରେ କିଏ ରହୁଛି । ସହରରେ ମାଳ ମାଳ ବିଦେଶୀ ରହୁଥିବା ବେଳେ ସେମାନଙ୍କ ସୁରକ୍ଷା ଆଡ଼କୁ କେତେ ଗୁରୁତ୍ବ ଦେଉଛି ପୋଲିସ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details