ଭୁବନେଶ୍ବର: ରାଜଧାନୀରେ ଚୋରି ଛିନତାଇ ଅପରାଧ ନିୟନ୍ତ୍ରଣ ଚିନ୍ତା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନେବ ପୋଲିସ । ଚୋରି ଛିନତାଇ ଅଞ୍ଚଳକୁ ତୁରନ୍ତ ଗୁଗଲ ମ୍ୟାପିଂ କରାଯିବ । ନୂତନ ସିସିଟିଭି କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ ଏସବୁ ଅପରାଧିକ ଅଞ୍ଚଳ ମନିଟର ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ସହରର ସିସିଟିଭିରୁ ଅପରାଧୀଙ୍କୁ ଚିହ୍ନଟ ପାଇଁ ଯୋଜନା କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ।
ଦିନକୁ ଦିନ ସହରରେ ନୂଆ ନୂଆ ଅପରାଧ ଘଟୁଛି । ଷ୍ଟ୍ରିଟ୍ କ୍ରାଇମ୍ଠୁ ଆରମ୍ଭ କରି ନୂଆ ନୂଆ ଟ୍ରେଣ୍ଡ୍ କ୍ରାଇମ୍ । ଏଭଳି ଅପରାଧୀ ଓ ଅପରାଧକୁ ଚେକ୍ମେଟ୍ ପାଇଁ ଟେକ୍ନୋଲୋଜି ସହାୟତା ନେବ ପୋଲିସ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ସହରରେ ଚୋରି ଛିନତାଇ ଓ ନୂଆ ନୂଆ ଟ୍ରେଣ୍ଡ ଅପରାଧକୁ ପ୍ରାଧାନ୍ୟ ଦେଇଛି ପୋଲିସ । ସେସବୁ ଅପରାଧ ଘଟୁଥିବା ଅଞ୍ଚଳକୁ ଗୁଗଲରେ ମ୍ୟାପ୍ କରିବ ପୋଲିସ । ଫଳରେ ସେହି ଅଞ୍ଚଳର ଲୋକ ଓ ପୋଲିସ ମଧ୍ୟ ଆଲର୍ଟ ରହିପାରିବ । ଅପରାଧ ଘଟାଇ ଛୁ ମାରୁଥିବା ଅପରାଧୀକୁ ଆଖି ପିଛୁଳାକେ କିପରି ଟ୍ରାକ୍ କରିହେବ, ସେନେଇ ବଡ ଯୋଜନା ଚଳାଇଛି ପୋଲିସ । ଏନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମେଥଡର ସହାୟତା ନେବାକୁ ଯାଉଛି ପୋଲିସ । କାରଣ ବିଭିନ୍ନ ଛକ ଛକ ଓ ଟ୍ରାଫିକରେ ଲାଗୁଥିବା କ୍ୟାମେରାରେ AI ଜରିଆରେ ଅପରାଧୀଙ୍କୁ ସହଜରେ ଟ୍ରାକ୍ କରିହେବ । କାରଣ ପୂର୍ବରୁ କମିଶନରେଟ ପୋଲିସ "ସହଭାଗିତା" ସ୍କିମ୍ରେ ପୁରା ସହରକୁ ସିସିଟିଭି ସର୍ଭେଲାନ୍ସରେ ଯୋଡିବାକୁ ପ୍ରୟାସ ଚଳାଇଛି । ଫଳରେ ଜନସାଧାରଣଙ୍କ ସହଯୋଗରେ କମିଶନରେଟ ପୋଲିସ ସହରର ସମସ୍ତ ସିସିଟିଭିର ଆଇପି ଆଡ୍ରେସ ଜରିଆରେ କଣ୍ଟ୍ରୋଲ ରୁମରୁ ସବୁ ମନିଟର କରାଯିବ ।