ଭୁବନେଶ୍ବର:ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ବଲିଉଡ ଫିଲ୍ମ ଜ୍ୱିଗାଟୋ । ପ୍ରଯୋଜକ ତଥା ଲେଖକ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ଜ୍ୱିଗାଟୋ ଜଣେ ଫୁଡ୍ ଡେଲିଭେରୀ ବୟର କାହାଣୀ ଉପରେ ଆଧାରିତ । ତେବେ ଫିଲ୍ମଟିର ଅଧିକାଂଶ ସୁଟିଂ ଓଡ଼ିଶାରେ ହୋଇଛି । ମୁଖ୍ୟତଃ ଭୁବନେଶ୍ବରରେ ଏହାର ସୁଟିଂ ହୋଇଛି । ରାଜଧାନୀର ଅନେକ ସ୍ଥାନ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହି ହିନ୍ଦୀ ସିନେମାରେ ଅନେକ ସଂଳାପ ଓଡ଼ିଆ ଭାଷାରେ ମଧ୍ୟ ରହିଛି । ଭୁବନେଶ୍ୱରର ଗଳିକନ୍ଦିରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡ଼ ଅଭିନେତା ତଥା କମେଡିଆନ କପିଲ ଶର୍ମା ଏବଂ ଅଭିନେତ୍ରୀ ଶହାନା ଗୋସ୍ୱାମୀ । ଝାଡ଼ଖଣ୍ଡର ଏକ ବାସ୍ତବ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ସମ୍ପୂର୍ଣ୍ଣ ଫିଲ୍ମଟି ଭୁବନେଶ୍ୱରରେ ସୁଟିଂ କରାଯାଇଛି ।
ଫିଲ୍ମରେ କପିଲ ଶର୍ମା ଫୁଡ ଡେଲିଭରି ବୟ ଭୂମିକା ନିଭାଇଛନ୍ତି । ଏଥିରେ ଜଣେ ଫୁଡ ଡେଲିଭରି ବୟର ଖାଦ୍ୟ ଡେଲିଭରି ସମୟର ସଂଘର୍ଷ ଓ ଲୋକମାନଙ୍କ ତାଙ୍କ ପ୍ରତି ଥିବା ମାନସିକତା କଥା ଦର୍ଶାଯାଇଛି । ପରିବାର ଚଳାଇବା ପାଇଁ କପିଲ ଶର୍ମା କିଭଳି ଫ୍ଲୋର ମ୍ୟାନେଜରରୁ ପାଲଟି ଯାଇଛନ୍ତି ଡେଲିଭରି ବୟ ତାହା କାହାଣୀରେ ଦେଖାଯାଇଛି । ଫୋନ୍ ଆପରେ ସେ ନିଜ ବ୍ୟବସାୟ ଚଳାଉଛନ୍ତି । ଖାଲି ସେତିକି ନୁହେଁ ରେଟିଂ ପାଇଁ ଖୁବ ସଂଘର୍ଷ ମଧ୍ୟ କରୁଛନ୍ତି । ଫୁଡ ଡେଲିଭରୀ ବୟ ପାଇଁ ରେଟିଂ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆଉ ରେଟିଂକୁ ନେଇ ଫୁଡ ଡେଲିଭରୀ ବୟଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଜଣେ ଫୁଡ୍ ଡେଲିଭେରୀ ବୟକୁ ବସ୍ଠାରୁ କେତେ କ’ଣ ଶୁଣିବାକୁ ପଡେ, ତାହା ଏହି ସିନେମାରେ ଦର୍ଶାଯାଇଛି ।