ଭୁବନେଶ୍ବର: ରାଜ୍ୟରେ ବଢୁଛି ଶୀତ ଲହରୀ । ପାରଦର ସ୍ତର ହ୍ରାସ ପାଉଥିବା ବେଳେ ସକାଳେ ଓ ସନ୍ଧ୍ୟା ହେଲେ ଶୀତରେ ଥରୁଛି ରାଜ୍ୟ । ଶୀତ ପ୍ରକୋପକୁ ନେଇ ଜି.ଉଦୟଗିରିରେ ୫ ଡ଼ିଗ୍ରୀ ଛୁଇଁଥିବା ବେଳେ ରାଜ୍ୟର ସର୍ବନିମ୍ନ ସହର ଭାବେ ଏଠାରେ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ଟ୍ବିନ ସିଟିରେ ଚଳିତ ସିଜିନର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ୧୩ ଡ଼ିଗ୍ରୀ ରେକର୍ଡ ହୋଇଛି । ଏହି କ୍ରମରେ ୧୪ ସହରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ କିମ୍ବା କମ ରାତ୍ରିର ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ୭.୦ ଡିଗ୍ରୀ, ସୁନ୍ଦରଗଡର କିରେଇରେ ୭.୫ ଡିଗ୍ରୀ, ରାଉରକେଲାରେ ୮.୬ ଡିଗ୍ରୀ, ଅନୁଗୋଳ ଓ କୋରାପୁଟରେ ୮.୦ ଡିଗ୍ରୀ ଓ ସିମିଳିଗୁଡ଼ାରେ ୮.୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।
ସେପଟେ ରାଜ୍ୟରେ ବର୍ତ୍ତମାନ ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ତାପମାତ୍ରାରେ କୌଣସି ବୃଦ୍ଧିର ସମ୍ଭାବନା ମଧ୍ୟ ନାହିଁ । ତେଣୁ ରାଜ୍ୟରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡ଼ିଶାର ଭୀଷଣ ଶୀତର ପ୍ରକୋପ ସହ କେତେକ ଘନ କୁହୁଡି ବି ଦୃଶ୍ୟମାନ ହେଉଛି । ରାଜ୍ୟରେ ସମସ୍ତ ସ୍ଥାନରେ ଶୁଖିଲା ପାଗ ରହିଛି । ତେବେ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡା, କୋରାପୁଟ ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ସେହିପରି ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ।