ଭୁବନେଶ୍ବର: ଦିଲ୍ଲୀ ମୁଖାର୍ଜୀନଗର କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଭୁବନେଶ୍ବରରେ ମାଳ ମାଳ ଘରୋଇ କୋଚିଂ ସେଣ୍ଟର ଥିବାବେଳେ ଆବାସିକ କଲେଜ୍ ଓ ହଷ୍ଟେଲ ଆଦି ରହିଛି। ସେଗୁଡ଼ିକ ପ୍ରାୟ ଅସୁରକ୍ଷିତ ଥିବାବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। କୋଠା ଘରଗୁଡ଼ିକରେ ରହୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ପ୍ରଶସ୍ତ ସିଡୀ ରହୁନାହିଁ। ସିଡୀର ସଂକୀର୍ଣ୍ଣତା ଯୋଗୁ କିଛି ଅଘଟଣ ଘଟିଲେ ଉପର ମହଲାରେ ଥିବା ଲୋକମାନେ ତଳକୁ ସୁରକ୍ଷିତ ଭାବେ ଓହ୍ଲାଇ ପାରୁନାହାନ୍ତି।
ପ୍ରାୟ ଆଧୁନିକ ଗୃହ ଡିଜାଇନରେ ଝରକା ରହୁନାହିଁ। ଗ୍ରୀଷ୍ମ ଋତୁରେ ସବୁବେଳେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରେ ଶୀତତାପ ନିୟନ୍ତ୍ରିତ ମେଶିନ ଚାଲୁଛି। ଏହାଦ୍ୱାରା ସଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ଅଧିକ ରହୁଛି। ଆଧୁନିକ ବିଲ୍ଡିଂ ଡିଜାଇନ୍ ଯେତେ ଆକର୍ଷଣୀୟ ହେଲେ ମଧ୍ୟ ବିପଦମୁକ୍ତ ନୁହେଁ। ବର୍ତ୍ତମାନ ସମୟରେ ରାଜ୍ୟରେ ଛତୁ ଫୁଟିଲା ପରି ଗାଆଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି କୋଚିଂ ସେଣ୍ଟର। ଉଚ୍ଚଶିକ୍ଷା ଲାଗି ଭଲ କ୍ୟାରିୟର ଗଠନ ପାଇଁ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା ବଢ଼ୁଥିବାବେଳେ ତାଳ ଦେଇ କୋଚିଂ ସେଣ୍ଟରଗୁଡ଼ିକର ଗୁରୁତ୍ୱ ବଢ଼ିବାରେ ଲାଗିଛି।
ହେଲେ ରାଜ୍ୟରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ। ଦିଲ୍ଲୀ କୋଚିଂ ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡ ଭଳି ଓଡିଶାରେ ଏପରି ଘଟଣା ନଘଟିବ କିଏ କହିବ । ତେଣୁ ରାଜ୍ୟରେ କେତେ କୋଚିଂ ସେଣ୍ଟର ଅଛି ? କେଉଁଠି ଅଛି ? କେତେ ପିଲା ସେଥିରେ ପାଠ ପଢୁଛନ୍ତି ? କେଉଁ ସମୟରେ ପାଠ ପଢ଼ା ହେଉଛି ? ଭିତିଭୂମି ଓ ସୁରକ୍ଷା ବ୍ୟବସ୍ଥା କିପରି ଅଛି ? ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ ଅଛି କି ନାହିଁ ? କେତେ ପଇସା ସେମାନେ ନେଉଛନ୍ତି ? ତାହାର କୌଣସି ତଥ୍ୟ ସରକାରଙ୍କ ପାଖରେ ନଥିବା ମତ ପ୍ରକାଶ ପାଇଛି।