ଭୁବନେଶ୍ବର:ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ବାଧୀନତା ଦିବସ-୨୦୨୩ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ସ୍ବାଧୀନତା ଦିବସ ଆମ ସମସ୍ତଙ୍କ ଭାବାବେଗ ଏବଂ ଗର୍ବର ପ୍ରତୀକ । ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ବ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ମାହାଙ୍ଗା ବିଜେପି ନେତା ଓ କର୍ମୀ
ଚଳିତ ବର୍ଷ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସକାଳ ୯ଟା ସମୟରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ । ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ପରେଡ ଓ ପତାକା ଉତ୍ତୋଳନ ସ୍ଥାନରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସ୍ବାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥିଙ୍କ ଉପବେଶନ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ରାଜଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯିବ । ଏଥିସହ ଉତ୍ସବସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରିବା ପାଇଁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।