ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି(ଗୁରୁବାର) ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଅଧିକାରୀ ମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଭଲ ଫିଡବ୍ୟାକକୁ ଭିତ୍ତିକରି ଅଧିକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।
ଏହି ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଛନ୍ତି । ରାଜସ୍ବ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଛି ବୋଲି ସମୀକ୍ଷାରୁ ଜଣାପଡିଛି ।ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାର ସମୟ ସୀମା ବହୁତ କମିଛି । ପୂର୍ବରୁ ମ୍ୟୁଟେସନ କେସ ଗୁଡିକରେ ଫଇସଲା ପାଇଁ ୧୦୦ରୁ ୧୫୦ ଦିନ ଲାଗୁ ଥିବା ବେଳେ ୨୦୨୩-୨୪ରେ ଏହା ୨୧ ଦିନରୁ କମ ସମୟ ଲାଗୁଛି । ଏପରିକି ୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି । ସେହିପରି ବିଭିନ୍ନ ସାର୍ଟିଫିକେଟ ପ୍ରଦାନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଛି ।
ଏହାବି ପଢନ୍ତୁ- Modi-Naveen Relations: 2024 ନିର୍ବାଚନ ପୂର୍ବରୁ ଆକଳନ କରିଦେଲେ କି ନବୀନ ?
ରାଜସ୍ବ ବିଭାଗରେ ଫିଡବ୍ୟାକ ଭିତ୍ତିରେ ୬ ଜଣ ଓଏଏସ ଅଧିକାରୀଙ୍କୁ ସମୟ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୩୨ ଜଣ ଓଏଏସ ଅଧିକାରୀ ଓ ୧୪ ଜଣ ଓଆରଏସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ୪ ଜଣ ଓଏଏସ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି । ୧୧ ଜଣ ଓଏଏସ ଅଧିକାରୀଙ୍କ ଗ୍ରାଚ୍ୟୁଇଟି ଓ ପେନସନ ବନ୍ଦ କରାଯାଇଛି । ସେହିପରି ୬୭ ଜଣ ଓଏଏସ ଅଧିକାରୀ ଓ ୩୦ ଜଣ ଓଆରଏସ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।