ଭୁବନେଶ୍ବର:ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଦିବଙ୍ଗତ ରାଜନେତାଙ୍କ ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନ ପହଞ୍ଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର ନୟାପଲ୍ଲୀ ଘରୁ ବିଜେଡି ପାର୍ଟି ଅଫିସ ଶଙ୍ଖ ଭବନ ଏବଂ ପରେ ବିଧାନସଭା ଅଣାଯାଇଥିଲା । ସେଠାରେ ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିମାନେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ବରିଷ୍ଠ ରାଜନେତାଙ୍କ ଅନ୍ତିମ ଦର୍ଶନ ପାଇଁ ଆଜି ସକାଳୁ ତାଙ୍କର ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ବାସଭବନରେ ସମର୍ଥକ ଓ ଶୁଭେଚ୍ଛୁଙ୍କ ଭିଡ ଲାଗିଛି । ମୁଖ୍ୟମନ୍ତ୍ରୀ ଶେଷ ଦର୍ଶନ କରି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଏବଂ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରମୁଖ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।