ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତି । ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନୀତି ଗତ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସିକିମ ରୟତ ମାନଙ୍କ ଜମି ସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ଜିଲ୍ଲା ଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ । ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା ଏହିପରି ଅନେକ ସମସ୍ୟା ସଂପର୍କରେ ଲୋକମାନେ ୫ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଲୋକଙ୍କ ବହୁ ବର୍ଷର ଜମି ସମସ୍ୟାର ସମାଧାନ ପାଇଁ ବାଟ ଫିଟିଛି ।
ଅଧିକ ପଢନ୍ତୁ- LAccMI Scheme Launch: ରାଜ୍ୟରେ ଚାଲିବ ହଜାରେ ବସ, ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏସଂପର୍କରେ ସେପ୍ଟେମ୍ବର ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ତିନି ଥର ବୈଠକ ଅନୁଷ୍ଠିତ ହୋଇଛି । ସେହି ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅଗ୍ରଗତି ସଂପର୍କରେ ଆଜି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବହୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇନ ସଚିବ ମାନସ ରଞ୍ଜନ ବାରିକ, ଗଞ୍ଜାମ, ସମ୍ବଲପୁର, ପୁରୀ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି ।
ହୀରାକୁଦ ପ୍ରକଳ୍ପ ଯୋଗୁ ବାସଚ୍ୟୁତ ହୋଇଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ, ସପନେ ଗ୍ରାମରେ ହାଇଟେକ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେ କାର୍ଯ୍ୟକୁ ଯେତେଶୀଘ୍ର ସମ୍ଭବ ସଂପୂର୍ଣ୍ଣ କରି ଜମି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସିକିମ ରୟତ ମାନଙ୍କର ଜମି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ବାରା କଟକ, ପୁରୀ ଓ ବାଲେଶ୍ବର ଜିଲ୍ଲାର ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।
ଅଧିକ ପଢନ୍ତୁ- ୫ ସହର ସମେତ ୧୪୯ ୱାର୍ଡରେ ଆରମ୍ଭ ହେଲା ଡ୍ରିଙ୍କ ଫ୍ରମ ଟ୍ୟାପ, ଉପକୃତ ହେବେ ୧୨ ଲକ୍ଷ ୩୦ ହଜାର
ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତି ଗତ ନିଷ୍ପତ୍ତି ହୋଇଛି । ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଛି । ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହି ପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ପଟ୍ଟା ଲିମେଇତିକ୍ରା ଗ୍ରାମରୁ ବଣ୍ଟନ କରାଯିବ । ଗଞ୍ଜାମ ଜିଲ୍ଲା ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ ଉଭୟ ଘରବାଡି ଓ ଚାଷଜମି ପଟ୍ଟା ବଣ୍ଟନ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ସେହିପରି ଜଟଣୀ ଖାସମାହାଲ ଜମି ସମସ୍ୟାର ସମାଧାନ କରାଯାଇ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ ।
ସେହିଭଳି ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ଲିଜକୁ ନିୟମିତ କରିବା ପାଇଁ ନିୟମାବଳୀ ଅନୁମୋଦନ ପରେ OGLS ନିୟମରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର