ଭୁବନେଶ୍ବର: ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନିପ୍ପନ୍ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରିଛନ୍ତି ହାସିମୋତୋ । ଓଡ଼ିଶାରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟିଲ୍ ୟୁନିଟ ପ୍ରତିଷ୍ଠା ଲାଗି ଉଭୟ ଦୃଢ଼ ଇଚ୍ଛା ପ୍ରକାଶ କରିଛନ୍ତି । ଓଡ଼ିଶା ଆସିବା ଲାଗି ନିପ୍ପନ ଷ୍ଟିଲ୍ ମୁଖ୍ୟ ଓ ତାଙ୍କ ଟିମ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି ।
ଏହାବି ପଢନ୍ତୁ- ବାହାପିଆ ବିଜେଡି ବିଧାୟକ: ଓଡିଶାରେ ଦାଦନ ନାହାଁନ୍ତି କହି ଅଜବ ଯୁକ୍ତି କଲେ ଉମା
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ପ୍ରତିଷ୍ଠା ହେବ ଷ୍ଟିଲ୍ ପ୍ଲାଣ୍ଟ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପୁଞ୍ଜି ନିବେଶ କରିବେ । 1 ଲକ୍ଷ 2 ହଜାର 275 କୋଟି ଟଙ୍କା ପୁଞ୍ଜି ନିବେଶ ଦ୍ବାରା ବାର୍ଷିକ 24 ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହି ପ୍ଲାଣ୍ଟରେ 16 ହଜାରରୁ ଊର୍ଦ୍ଧ୍ବ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏହା ପ୍ରତିଷ୍ଠା ପରେ ଏହି ବୃହତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ । ତେବେ ଉକ୍ତ ପ୍ରକଳ୍ପକୁ ବିଶ୍ୱର ସବୁଠାରୁ ବଡ଼ ଷ୍ଟିଲ ୟୁନିଟ କରିବା ଲାଗି ଦୃଢ଼ ଇଚ୍ଛା ଥିବା କହିଛନ୍ତି ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ ।
ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନିପ୍ପନ ଷ୍ଟିଲ ମୁଖ୍ୟ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ନିପ୍ପନ ଷ୍ଟିଲ ମୁଖ୍ୟଙ୍କ ସହିତ ବୈଠକ ବେଶ ଫଳପ୍ରଦ ହୋଇଛି । ରାଜ୍ୟକୁ ବଡ଼ ପୁଞ୍ଜି ନିବେଶ ଆଶା ରହିଛି । ଦେଶ ତଥା ବିଶ୍ୱର ବଡ଼ ଷ୍ଟିଲ ପ୍ଲାଣ୍ଟ ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ ସହ ମିଶି ଓଡ଼ିଶାରେ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି । ଯାହା ହେବ ବିଶ୍ଵର ବୃହତମ ଷ୍ଟିଲ ପ୍ଳାଣ୍ଟ ମଧ୍ୟରୁ ଗୋଟିଏ । ପ୍ଲାଣ୍ଟ ଦ୍ଵାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲା ଅର୍ଥନୈତିକ ଅଭିବୃଦ୍ଧି ଆହୁରି ତରାନ୍ୱିତ ହେବ । ଏହା ସହ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି ହେବ ।"