ଭୁବନେଶ୍ବର: ଚାଷୀଙ୍କ ପାଇଁ ଆହୁରି ସହଜ ହେଲା ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’( SAFAL portal) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ୍ 'ସଫଳ'ର ଲୋକାର୍ପଣ କରିଛନ୍ତି । ଏଥିରେ ୩୦୦ରୁ ଅଧିକ ରକମର କୃଷି ଋଣ ପାଇଁ ସୁବିଧା ରହିଛି । ଏଥିପାଇଁ ୪୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ୍ ସଂଯୋଗୀକୃତ କରାଯିବା ସହିତ ଆବେଦନ ସ୍ଥିତି ଯାଞ୍ଚ ପାଇଁ ବ୍ୟବସ୍ଥା କରାଯାଇଛି ।
ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟାଜିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇ ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ‘ସଫଳ’ ପୋର୍ଟାଲର ଲୋକାର୍ପଣ କରିଛନ୍ତି । ‘ସଫଳ’ ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ଭାବରେ କାର୍ଯ୍ୟ କରିବ । ଏହି ପୋର୍ଟାଲ ‘କୃଷକ ଓଡ଼ିଶା’ ଡାଟାବେସ ସହ ସଂଯୁକ୍ତ ଓ ୪୦ରୁ ଅଧିକ ବ୍ୟାଙ୍କକୁ ଏଥିରେ ସଂଯୋଗୀକୃତ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ସରକାରୀ ତଥା ବେସରକାରୀ ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ କ୍ଷୁଦ୍ର ଫାଇନାନ୍ସରୁ ଆନୁଷ୍ଠାନିକ କ୍ଷେତ୍ର ଋଣ ପାଇବା ପାଇଁ କୃଷକ ଏବଂ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏହା ୱାନ୍ ଷ୍ଟପ୍ ସମାଧାନ ଅଟେ । କୃଷକମାନେ ୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ କୃଷି ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ ଚାଷୀ । WWW.safal.odisha.gov.inରେ ଚାଷୀ ଋଣ ପାଇଁ ସହଜରେ ଆବେଦନ କରିପାରିବେ ।''