ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ଆବେଦନ ପାଇଁ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ଏହି ୱେବପୋର୍ଟାଲ ଲୋକାର୍ପିତ ହୋଇଛି । ୫T ନୀତି ଉପରେ ଗୁରୁତ୍ୱ ଦେଇ ୱେବପୋର୍ଟାଲ ଆରମ୍ଭ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଓଡ଼ିଆ ସାମ୍ବାଦିକମାନେ ସୁବିଧାରେ ଅନଲାଇନରେ ସାମ୍ବାଦିକ କଲ୍ୟାଣ ଯୋଜନାର ସୁଯୋଗ ନେଇପାରିବେ ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି । ଏଥିରେ ଚିକିତ୍ସା ପାଇଁ ସାମ୍ବାଦିକ ଓ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ମୃତ୍ୟୁଜନିତ ସହାୟତା ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ । ଏହା ଏକ ମିଶନ । ତେଣୁ ଏକ ସଚେତନ ସମାଜ ଗଠନ ପାଇଁ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଆବଶ୍ୟକୀୟ ସମସ୍ତ ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ ।"
ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଅନେକ ଦାୟିତ୍ୱ ଓ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଏବଂ କୋଭିଡ ମହାମାରୀ ଭଳି ଅସ୍ୱାଭାବିକ ପରିସ୍ଥିିତିରେ ମଧ୍ୟ ଗଣମାଧ୍ୟମର ପ୍ରତିନିଧିମାନେ ସାହସର ସହ ଦାୟିତ୍ୱ ନିର୍ବାହ କରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିଛନ୍ତି । ଗଣମାଧ୍ୟମ ସହ ସଂପୃକ୍ତ ବ୍ୟକ୍ତିଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସଚେତନ ଓ ତତ୍ପର ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ।