ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଜି ୧୧୪୦ କୋଟି ଟଙ୍କାର ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ୧୪୦ କୋଟି ଟଙ୍କାର ୧୦୩ଟି ପ୍ରକଳ୍ପର ଉଦଘାଟନ ହୋଇଥିବାବେଳେ ୧୦୦୦ କୋଟିରେ ୩୭୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ରାଜ୍ୟ ବାହାର ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ବତନ୍ତ୍ର ହେଲ୍ପ ଲାଇନ ନମ୍ବର ୧୮୦୦୧୨୦୧୨୦୧୦୪ ଆରମ୍ଭ ହୋଇଛି । ଗତ ୫ ବର୍ଷରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସରକାରୀ ସ୍ବାସ୍ଥ୍ୟାବସ୍ଥା ଉପରେ ଲୋକଙ୍କ ଭରସା ବଢିଛି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ ମଡେଲ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ 5T ଉପକ୍ରମରେ ବିଭନ୍ନ ପଦକ୍ଷେପ ଦ୍ବାରା ସରକାରୀ ହସ୍ପିଟାଲଗୁଡିକରେ ରୂପାନ୍ତର ଆସିପାରିଛି । ଏହା ଦ୍ବାରା ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବଢିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି । ଲୋକମାନେ ସୁବିଧାରେ ବିନା ଖର୍ଚ୍ଚରେ ଉତ୍ତମ ସ୍ବାସ୍ଥ୍ୟସେବା ପାଉଛନ୍ତି । ପ୍ରତି ମାସରେ ୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି । ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହା ଆମ ପ୍ରତିବଦ୍ଧତାର ପ୍ରତିଫଳନ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ ମଡେଲ କରିବା ଆମର ଲକ୍ଷ୍ୟ । ଆଜିର ପ୍ରକଳ୍ପଗୁଡିକ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ । ଆମର ଲକ୍ଷ୍ୟ ହେଉଛି ସୁସ୍ଥ ଓଡିଶା ସୁଖୀ ଓଡିଶା । ରାଜ୍ୟର ସବୁ ଲୋକ ଯେପରି ସୁବିଧାରେ ଉତ୍ତମ ସେବା ପାଇପାରିବେ ସେ ଦିଗରେ ଆମେ କାମ କରୁଛୁ । ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମିରେ ବହୁତ ପରିବର୍ତ୍ତନ ଆସିଛି ।"
ଏହା ବି ପଢନ୍ତୁ- ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ଖର୍ଚ୍ଚ ହେବ 8500 କୋଟି: ମୁଖ୍ୟମନ୍ତ୍ରୀ