ଭୁବନେଶ୍ବର: ହୀରକ ଜୟନ୍ତୀ ପାଳୁଛି ସୈନିକ ସ୍କୁଲ । ଶନିବାର ଓ ରବିବାର ଦୁଇ ଦିନଧରି ହୀରକ ଜୟନ୍ତୀ ପାଳନ କରାଯିବ । ଏହାସହ ସୈନିକ ସ୍କୁଲ ଓଲ୍ଡ ବଏଜ୍ ଆସୋସିଏସନ୍ (Old Boys Association) ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ । ସୈନିକ ସ୍କୁଲର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଦୁଇ ଦିନିଆ ହୀରକ ଜୟନ୍ତୀ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ବିତୀୟ ଦିନ ଉଦ୍ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କର୍ଯ୍ୟକ୍ରମ ରହିଛି ।
ଏହି ଦୁଇ ଦିନିଆ ଉତ୍ସବ ଅବସରରେ ଆର୍ମି ଡଗ୍ ଶୋ, କାଉଣ୍ଟର ଟେରରିଜମ ଡେମନଷ୍ଟ୍ରେସନ, ନାଭାଲ ବ୍ୟାଣ୍ଡ, ଏରୋ ଡାଇନାମିକ ଶୋ ଅନୁଷ୍ଠିତ ହେବ । ଉଦ୍ଘାଟନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଏହି ମହତ୍ବପୂର୍ଣ୍ଣ ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେଇ ବେଶ୍ ଆନନ୍ଦିତ । ଏହି ଗୌରବମୟ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ । ୧୯୬୨ ମସିହାରେ କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା ଭୁବନେଶ୍ୱରର ସୈନିକ ସ୍କୁଲ । ୬୦ ବର୍ଷ ପରେ ଗୁଣାତ୍ମକ ଶିକ୍ଷା, ଚରିତ୍ର ନିର୍ମାଣ ଏବଂ ବ୍ୟକ୍ତିତ୍ୱର ସମୃଦ୍ଧତା ପାଇଁ ଏହା ଏକ ମାନଦଣ୍ଡ ପାଲଟିଛି । ଏହି ବିଦ୍ୟାଳୟ କେବଳ ଆମ ଦେଶର କେତେକ ଶ୍ରେଷ୍ଠ ସୈନିକ ଉତ୍ପାଦନ କରିନାହିଁ, ବରଂ ଏହାର ବହୁ ସଂଖ୍ୟକ କ୍ୟାଡେଟ ମଧ୍ୟ ସିଭିଲ ସର୍ଭିସେସ୍, ମେଡିସିନ୍, ଇଜିନିୟରିଂ, ନାଭାଲ ସେନା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମୁଁ ଆଶା କରୁଛି ବିଦ୍ୟାଳୟ ଆମର ଭବିଷ୍ୟତ ନାଗରିକମାନଙ୍କର ଇଚ୍ଛାକୃତ ପରିବର୍ତ୍ତନ ଆଣିବା ଜାରି ରଖିବ । ବିଦ୍ୟାଳୟ ଏବଂ ଏହାର ଆଲୁମିନିମାନେ ଗୌରବମୟ ତଥା ସ୍ମରଣୀୟ ବର୍ଷଗୁଡିକୁ ସମ୍ମାନିତ କରିବା ଏବଂ ଛାତ୍ରଛାତ୍ରୀଙ୍କର ମାନସିକତାକୁ ଅନୁକରଣ କରିବା ପାଇଁ ଏହା ଏକ ମୁହୂର୍ତ୍ତ ।"