ଭୁବନେଶ୍ବର: ଆଜି (ରବିବାର) ଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ହବିଷ୍ୟାଳୀମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ହବିଷ୍ୟାଳୀମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ ହଜାରରୁ ଅଧିକ ହବିଷ୍ୟାଳୀମାନଙ୍କ ରହିବାର ବ୍ୟବସ୍ଥା ହୋଇଛି । ମା'ମାନେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଲେ ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ତ୍ତିକ ବ୍ରତ କରିବା ପାଇଁ ସାରା ରାଜ୍ୟରୁ ହବିଷ୍ୟାଳୀମାନେ ପୁରୀରେ ଏକତ୍ରିତ ହୋଇଛନ୍ତି । ବ୍ରତ ପାଇଁ ମା'ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ମା' ମାନେ ଭଲରେ ବ୍ରତ କରନ୍ତୁ, ଶାନ୍ତିରେ ବ୍ରତ କରନ୍ତୁ । ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ । ଆପଣମାନେ ଆଶୀର୍ବାଦ ପାଇଲେ, ସାରା ଓଡିଶାକୁ ଆଶୀର୍ବାଦ ମିଳିବ । କାର୍ତ୍ତିକ ମାସ ଧର୍ମ ମାସ । ବହୁତ ପବିତ୍ର । ଏ ମାସରେ ମା ମାନେ ଆନନ୍ଦରେ ବ୍ରତ ପାଳନ କରିବେ ବୋଲି ତାଙ୍କର ପୁରା ବିଶ୍ୱାସ । ମା' ମାନଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ୩୦୦୦ରୁ ଅଧିକ ମା’ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରହିବା ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ସବୁ ବ୍ୟବସ୍ଥା ହୋଇଛି । ମା'ମାନଙ୍କ ସେବା ପାଇଁ ଜିଲ୍ଲାପ୍ରଶାସନ ପୁରା ପ୍ରସ୍ତୁତ ।"
ଏହା ବି ପଢନ୍ତୁ- ହବିଷ୍ୟାଳୀ ଶିବିରରେ ବ୍ୟାପକ ଅବ୍ୟବସ୍ଥା, ନିବାସ ଭିତରେ ଗଡୁଛି ମଦ ବୋତଲ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଛନ୍ତି,"ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିରୁ ଆଜି ମା'ମାନଙ୍କ ପାଇଁ ସବୁ ସୁବିଧା ହୋଇପାରିଛି । ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ, ସ୍ବେଚ୍ଛାସେବୀ ସମସ୍ତେ ସହଯୋଗ ଯୋଗାଇ ଦେଉଛନ୍ତି ।"ସେହିପରି କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି, "ମହିଳା କଲ୍ୟାଣକାରୀ ଯୋଜନାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଆଦର୍ଶ । ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ଯୋଗୁଁ ଓଡ଼ିଶା ଆଜି ନାରୀ ଶକ୍ତିର ବିକାଶରେ ଅଗ୍ରଣୀ ।"