ଭୁବନେଶ୍ବର:ଆଉ ଚିନ୍ତା ନାହିଁ । ବ୍ୟଙ୍କ କାମ ପାଇଁ ଆଉ ଦୌଡିବାକୁ ପଡିବ ନାହିଁ ଦୂର । ଏଣିକି ଘରେ ପହଞ୍ଚିବ ବ୍ୟାଙ୍କ । ଲୋକଙ୍କ ସୁବିଧା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ସୁନିଶ୍ଚିନ୍ତ ହେବ ବ୍ୟାଙ୍କ ସେବା । ରାଜ୍ୟରେ ବ୍ୟାଙ୍କ ସୁବିଧା ନଥିବା ଅଞ୍ଚଳରେ ଆମ ବ୍ୟାଙ୍କ ଯୋଜନାର ଆରମ୍ଭ ହୋଇଛି । ଘର ପାଖରେ ବ୍ୟାଙ୍କ ସୁବିଧା ପାଇବେ ଲୋକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭ କରିଛନ୍ତି । ବ୍ୟାଙ୍କ ସୁବିଧା ନଥିବା 4373 ପଞ୍ଚାୟତର ଲୋକେ ସୁବିଧା ପାଇବେ । 2024 ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ପହଞ୍ଚାଇବାକୁ ଲଷ୍ୟ ରଖାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡ଼ି ହୋଇଛନ୍ତି । ଏମାନେ ହେଲେ State Bank of India, Punjab National Bank, Union Bank of India, UCO Bank, Bank of India ଓ Bank of Baroda । ଆମ ବ୍ୟାଙ୍କ୍ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ । ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ୍ ସୁବିଧା ନାହିଁ । ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା । ମୁଖ୍ୟମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନଥିବା ପଞ୍ଚାୟତରେ Customer Service Point Plus ଯୋଜନା ଆରମ୍ଭ କରିଛନ୍ତି । ଏହା ‘ଆମ ବ୍ୟାଙ୍କ’ ଭାବରେ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କଗୁଡ଼ିକୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ୍ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବେ ।
ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ । ଏହି ବ୍ୟାଙ୍କିଂ ମଡେଲ ସାରା ଦେଶ ପାଇଁ ଏକ ରୋଲ ମଡେଲ ହେବ । ଏହା ସହିତ ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ଆହ୍ବାନ ଦେଇଛନ୍ତି । ମୁଁ ଚାହେଁ ରାଜ୍ୟର ସବୁ ଲୋକ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସୁବିଧା ପାଆନ୍ତୁ । ଜମିପଟ୍ଟା, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ପରି ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ଖୁବ ଜରୁରୀ । ଘର ପାଖରେ ବ୍ୟାଙ୍କ ସୁବିଧା ମିଳିଲେ, କାଳିଆ, ମମତା, ମଧୁବାବୁ ପେନସନ ପରି ବିଭିନ୍ନ direct benefit transfer ତଥା ଛୋଟଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ଆଦି ସୁବିଧା ଲୋକଙ୍କ ପାଖରେ ସିଧାସଳଖ ଓ ସୁବିଧାରେ ଉପଲବ୍ଧ ହୋଇପାରିବ । ଏହା ହିଁ ଆମ 5T ନୀତିର ମୁଖ୍ୟ ଲକ୍ଷ୍ୟ । ତେଣୁ ଆମ ବ୍ୟାଙ୍କ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ହେବ । ଏହା ଦ୍ବାରା ଗାଁ ରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ ।"