ବସ୍ତିବାସିନ୍ଦା ପାଇଁ 3 ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ୧୭୨୨ ହିତାଧିକାରୀ ଉପକୃତ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ହେଲା ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ସୁଲଭ ବାସଗୃହ, ସତ୍ୟନଗର ଶାନ୍ତିପଲ୍ଲିରେ ବସ୍ତି ପୁନଃର୍ବିକାଶ ପ୍ରକଳ୍ପ ଓ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପ । ଏହି ସବୁ ପ୍ରକଳ୍ପ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ ନୂଆ ଘରର ଚାବି ହସ୍ତାନ୍ତର କରିଛନ୍ତି । ଏହି ୩ଟି ପ୍ରକଳ୍ପରେ ସମୁଦାୟ ୧୭୨୨ ଜଣ ହିତାଧିକାରୀ ଘର ପାଇଛନ୍ତି । ଏହି ସମସ୍ତ ପ୍ରକଳ୍ପ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ମାଣ କରାଯାଇଛି ।
ଏଠାରେ ରହିଛି ସମସ୍ତ ବ୍ୟବସ୍ଥା ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, " ସହରର ବିକାଶରେ ବସ୍ତିଲୋକଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଗରିବ ଲୋକମାନଙ୍କୁ ନୂଆ ଘର ଭଲ ଘର ଯୋଗାଇ ଦେଇ ସେ ବହୁତ ଖୁସି । ସହରାଞ୍ଚଳରେ ‘ସମସ୍ତଙ୍କ ପାଇଁ ଘର’ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପଟି ୫ ମହଲା ବିଶିଷ୍ଟ ଏବଂ ଏହା ୧୨ ଏକର ଜମିରେ ନିର୍ମାଣ କରାଯାଇଛି । ଏଥିରେ ୮୨୦ଟି ଘର ସମ୍ପୂର୍ଣ୍ଣ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଛି । ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ପାଇଁ ସମୁଦାୟ ୨୬୦୦ଟି ଘର ନିର୍ମାଣର ଲକ୍ଷ୍ୟ ରଖାଯାଇଛି ।"
ଏହା ବି ପଢନ୍ତୁ- ବିସ୍ଥାପିତ ବ୍ୟବସାୟୀଙ୍କୁ ଗୃହ ବଣ୍ଟନ ଆରମ୍ଭ, ସ୍ୱଚ୍ଛତା ନ ରହିଲେ କଂଗ୍ରେସର ଆନ୍ଦୋଳନ ଚେତାବନୀ
ସେହପରି ସତ୍ୟନଗର ଶାନ୍ତିପାଲିଠାରେ ବସ୍ତି ପୁନଃଉନ୍ନୟନ ଯୋଜନାରେ ସମୁଦାୟ ୧୩୦୦ଟି ଘର ନିର୍ମାଣ କରାଯାଉଛି । Bhubaneswar Town Centre District (BTCD) ଅଞ୍ଚଳରେ ଥିବା ବସ୍ତି ଅଞ୍ଚଳଗୁଡିକର ରୂପାନ୍ତର ଲକ୍ଷ୍ୟରେ ଏହା ହେଉଛି ପ୍ରଥମ ପ୍ରକଳ୍ପ । ୫୬୦ଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି । ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପରେ ୩୪୨ଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି । ଏହି ସମସ୍ତ ପ୍ରକଳ୍ପ ଗୁଡିକ ୫ ମହଲା ବିଶିଷ୍ଟ । ଏହି ସବୁ ପ୍ରକଳ୍ପ ପାଇଁ ପାନୀୟ ଜଳଯୋଗାଣ, ଡ୍ରେନେଜ ବ୍ୟବସ୍ଥା, ସ୍ବରେଜ ବ୍ୟବସ୍ଥା, ରାସ୍ତା ଆଲୋକୀକରଣ, ଦୋକାନ ଘର ସହିତ ପାଠାଗାର, ରିଡିଙ୍ଗ ରୁମ୍, ଡିସ୍ପେନ୍ସରି ଆଦି ଅନେକ ସୁବିଧାର ବ୍ୟବସ୍ଥା କରାଯାଇଛି ।
ବସ୍ତିବାସିନ୍ଦା ପାଇଁ 3 ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର, ମୁଖ୍ୟ ଶାସନ ସଚିବ ପି.କେ. ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଏମସି, ବିଡିଏ ଗୃହ ନଗର ଉନ୍ନୟନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର