ଭୁବନେଶ୍ବର:ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ଓଡ଼ିଶାରେ ପୁଞ୍ଜି ନିବେଶର ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଓଡିଶା ଟ୍ରାଭେଲ ବଜାର । 3 ଦିନିଆ ଓଡିଶା ଟ୍ରାଭେଲ ବଜାରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ରାଭେଲ ବଜାର ଚତୁର୍ଥ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ଟ୍ରାଭେଲ ବଜାରରେ 20ରୁ ଅଧିକ ବିଦେଶୀ ଟୁର ଅପରେଟର ଏବଂ 60ରୁ ଅଧିକ ଡୋମେଷ୍ଟିକ୍ ଟୁର ଅପରେଟର ଅଂଶଗ୍ରହଣ କରିଛନ୍ତି । ଡୋମେଷ୍ଟିକ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରସାର କରିବା ଲାଗି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଓଡ଼ିଶା ଟ୍ରାଭେଲ ବଜାର 2022 ଆୟୋଜନ କରାଯାଉଛି । ଏହାସହ ସ୍ଥାନୀୟ ବିକ୍ରେତା ଓ ଟୁର ଅପରେଟରମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଲାଗି ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଏବଂ ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ B2B ବୈଠକ ଆୟୋଜନ କରାଯାଇଛି । କୋଭିଡ ଯୋଗୁଁ ପ୍ରଭାବିତ ହୋଇଥିବା ଓଡ଼ିଶାର ପର୍ଯ୍ୟଟନକୁ ଏହା ଇନ୍ଧନ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓଡ଼ିଶାର ପର୍ଯ୍ୟଟନୀ ସ୍ଥଳଗୁଡ଼ିକ ବିଷୟରେ ଭାରତର ଏବଂ ଆନ୍ତର୍ଜାତିକ ଟୁର ଅପରେଟରମାନଙ୍କୁ ଅବଗତ କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି ।
ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ବିକାଶ ଦିଗରେ ରାଜ୍ୟର ପର୍ଯ୍ୟଟନ ବିଭାଗ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ପର୍ଯ୍ୟଟନ ସ୍ଥଳୀର ପ୍ରସାର କରିବା ଲାଗି ଏକ ମଞ୍ଚ ସୃଷ୍ଟି କରିବା ଓ ସ୍ଥାନୀୟ ପର୍ଯ୍ୟଟନରେ ଉନ୍ନତି ଆଣିବା ପ୍ରଥମ ଲକ୍ଷ୍ୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା କହିଛନ୍ତି । ଟୁର ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭୁବନେଶ୍ୱର, ପୁରୀ, କୋଣାର୍କ, ଚିଲିକା, ଧଉଳି, ଭିତରକନିକା ଓ ଲଳିତଗିରି ଆଦି ସ୍ଥାନକୁ ପରିଦର୍ଶନରେ ନିଆଯିବ ।