ଭୁବନେଶ୍ବର: ନବ ନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନିଟି ବିଭାଗର ୨୬୯ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭିତ୍ତିଭୂମି ସୃଷ୍ଟି କରାଯାଉଛି ବୋଲି କହିଛନ୍ତି । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଛନ୍ତି ନବନିଯୁକ୍ତ ସରକାରୀ ଅଧିକାରୀ । ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ କାମ କରିବାକୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକସେବା ଭବନ କନଭେନସନ ସେଣ୍ଟରରେ ନିଯୁକ୍ତି ପର୍ବ ଆୟୋଜନ ହୋଇଥିଲା । ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଦିଗଦର୍ଶନ ଦେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ୧୬୦ ଜଣ ପ୍ରଧାନଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀ, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ୯୦ ଜଣ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ୧୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ସହୃଦୟତାର ସହ ଲୋକଙ୍କ ସେବା କର । ସେବାରୁ ଯେପରି କେହି ବଞ୍ଚିତ ହେବେ ନାହିଁ ସେଥିଲାଗି ଦୃଷ୍ଟି ଦେବାକୁ ହେବ । ଓଡିଶାର ବିକାଶ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ୨୦୩୬ରେ ଓଡିଶାକୁ ୧୦୦ ବର୍ଷ ପୂରୁ ଥିବାରୁ ସମସ୍ତଙ୍କୁ ଗୁରୁଦାୟିତ୍ବ ନେବାକୁ ପଡିବ । ରାଜ୍ୟରେ ଏବେ ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି । ଏଥିରେ ସମସ୍ତେ ସାମିଲ ହୁଅନ୍ତୁ ।ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁଛି ଏହି ରୂପାନ୍ତରଣ । ୫-ଟି ଜରିଆରେ ସମୟ, ସ୍ବଚ୍ଛତାର ମନ୍ତ୍ରକୁ ଗୁରୁତ୍ବ ଦିଆଯାଉଛି । ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ଗଠନ କରିବାକୁ ଲକ୍ଷ୍ୟ ରହିଛି । ରୂପାନ୍ତରଣର ଯାତ୍ରା ଜରିଆରେ ଏହି ଆଭିମୁଖ୍ୟ ସଫଳ ହେବ ।"