ଓଡିଶା

odisha

ETV Bharat / state

ପରିକ୍ରମା ପ୍ରକଳ୍ପ ଉଦଘାଟନ ଓଡିଶା ଇତିହାସର ଐତିହାସିକ ମୁହୂର୍ତ୍ତ: ମୁଖ୍ୟମନ୍ତ୍ରୀ - light diyas and perform Kirtan

CM on Parikrama Project Inauguration: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦିନକୁ ମହାପ୍ରଭୁଙ୍କୁ ସମର୍ପଣ କରି ଦୀପ ଜାଳିବା, ଶଙ୍ଖ ଫୁଙ୍କିବା, ଘଣ୍ଟ ବଜେଇବା ଓ ଭଜନ କୀର୍ତ୍ତନ କରିବାକୁ ଓଡ଼ିଶାବାସୀଙ୍କୁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

CM on Parikrama Project Inauguration
CM on Parikrama Project Inauguration

By ETV Bharat Odisha Team

Published : Jan 15, 2024, 10:51 PM IST

CM on Parikrama Project Inauguration

ଭୁବନେଶ୍ବର: ଆସନ୍ତା 17 ତାରିଖରେ ଉଦ୍‌ଘାଟନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି କାର୍ଯ୍ୟକ୍ରମ ପାଇଁ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ବାସୀ, ଜଗନ୍ନାଥ ପ୍ରେମୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଏହାକୁ ଓଡିଶାର ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ ଜମିଦାନ କରିଥିବା ବ୍ୟକ୍ତି, ସେବାୟତ, ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ନିର୍ମାଣ ଶ୍ରମିକ ଓ ଶିଳ୍ପୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 17 ତାରିଖ ଦିନକୁ ମହାପ୍ରଭୁଙ୍କୁ ସମର୍ପଣ କରି ଦୀପ ଜାଳିବା, ଶଙ୍ଖ ଫୁଙ୍କିବା, ଘଣ୍ଟ ବଜେଇବା, ପୂଜା କରିବା ଓ ଭଜନ କୀର୍ତ୍ତନ କରିବାକୁ ଓଡ଼ିଶାବାସୀଙ୍କୁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ । ପ୍ରତି ଓଡ଼ିଆ ମହାପ୍ରଭୁଙ୍କୁ ସ୍ମରଣ କରି ଶୁଭ କାର୍ଯ୍ୟ ଆରମ୍ଭ କରିଥାନ୍ତି । ସେ ଜଗତର ନାଥ । ସବୁ ଧର୍ମର ସମନ୍ବୟର ସେ ହେଉଛନ୍ତି ପ୍ରତୀକ । ସାରା ବିଶ୍ବ ତାଙ୍କର ସୃଷ୍ଟି । ଆମ ସଂସ୍କୃତି, ପରମ୍ପରା ଓ ଚେତନାର ଆଧାର ହେଉଛି ମହାପ୍ରଭୁ ଜଗନ୍ନାଥ । ଜଗନ୍ନାଥ ସଂସ୍କୃତି ହେଉଛି ଓଡିଶାର ସଂସ୍କୃତି । ଓଡିଶାର ଇତିହାସ ଜଗନ୍ନାଥ ମନ୍ଦିରର ଇତିହାସ ସହିତ ଯୋଡି ହୋଇ ରହିଛି । ମହାପ୍ରଭୁଙ୍କ ଇଚ୍ଛାରେ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି । ମହାପ୍ରଭୁ ସକଳ ଶକ୍ତିର ଆଧାର । ତାଙ୍କ ଇଚ୍ଛା ବିନା ପତ୍ରଟିଏ ବି ହଲେ ନାହିଁ । ଆମ ମାନଙ୍କର ପରମ ସୌଭାଗ୍ୟ, ଆମ ଜୀବନ କାଳ ମଧ୍ୟରେ ଆମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସାକ୍ଷୀ ହେବାକୁ ଯାଉଛୁ । ଶହ ଶହ ବର୍ଷ ଧରି ସାଧୁ ସନ୍ଥ, ରାଜା ମହାରାଜାମାନେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ଆସିଥିଲେ । ସାଧୁ ସନ୍ଥ, ସଧାରଣ ଲୋକମାନେ ଏହି ମାର୍ଗରେ ପରିକ୍ରମା କରୁଥିଲେ । ଏବେ ଶାନ୍ତି ଓ ଦିବ୍ୟ ଆନନ୍ଦର ସହ ଶ୍ରୀମନ୍ଦିରର ପରିକ୍ରମା କରିବେ, ତାହା ହେଉଛି ଏହି ପ୍ରକଳ୍ପର ଲକ୍ଷ୍ୟ । ଗଜପତି ରାଜାଙ୍କ ଭାଷାରେ ୭ ଶହ ବର୍ଷ ଭିତରେ ଶ୍ରୀମନ୍ଦିର ପାଇଁ ଏମିତି କାମ ହୋଇନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଆରମ୍ଭ ହେଲା ମହାଯଜ୍ଞ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ପରିକ୍ରମା ପ୍ରକଳ୍ପ ଉଦଘାଟନ ହେଉଛି ସାରା ଓଡ଼ିଶାର ଲୋକଙ୍କ ପାଇଁ ଉତ୍ସବର ଦିନ । ଏହି ଦିନକୁ ମହାପ୍ରଭୁଙ୍କୁ ସମର୍ପଣ କରିବାକୁ ଆହ୍ବାନ କରୁଛି । ଏହିଦିନ ଦୀପ ଜାଳିବା, ଶଙ୍ଖ ଫୁଙ୍କିବା, ଘଣ୍ଟ ବଜେଇବା, ପୂଜା କରିବା, ଭଜନ ଗାନ କରିବା, କୀର୍ତ୍ତନ କରିବା, ପ୍ରଭୁଙ୍କ ନାମ ଜପ କରିବା । ଓଡିଶାର ଘରେ ଘରେ ଭକ୍ତି, ସମର୍ପଣ ଆନନ୍ଦ ଓ ଉତ୍ସାହର ସହ ଆମେ ପାଳନ କରିବା । ମହାପ୍ରଭୁ ଜଗନ୍ନାଥ ବିଶ୍ବର ଦେବତା ହୋଇଥିବା ବେଳେ କୋଣ ଅନୁକୋଣରେ ଅନେକ ଭକ୍ତ ଓ ଜଗନ୍ନାଥ ପ୍ରେମୀ ଅଛନ୍ତି । ବିଶ୍ଵ ନିଅନ୍ତାଙ୍କ ଏହି କାର୍ଯ୍ୟକ୍ରମରେ ପରିବାର ସହ ସାମିଲ ହୁଅନ୍ତୁ ।"

ଏହା ମଧ୍ଯ ପଢ଼ନ୍ତୁ...ଆଉ ହାତରେ 2ଦିନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ପୋଲିସ ଡିଜି

ଶ୍ରୀମନ୍ଦିର ସୁରକ୍ଷା ସହିତ ଭକ୍ତଙ୍କୁ ଏକ ଦିବ୍ୟ ଅନୁଭବ ଦେବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, "ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଓଡ଼ିଶା ଜାତି ପାଇଁ ଗୌରବମୟ ମୁହୂର୍ତ୍ତ । ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତି । ଭକ୍ତ ଏକ ଦିବ୍ୟ ଅନୁଭବ ନେଇ ଫେରିବାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟ କରାଯାଇଛି । ମହାପ୍ରଭୁଙ୍କ ବାହାର ଯାନିଯାତ୍ରା ମଧ୍ୟ ସୁନ୍ଦର ଭାବେ ହୋଇପାରିବ । ଜନ୍ମଜନ୍ମର ପୂଣ୍ୟ ବଳରେ ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହେବାକୁ ମହାପ୍ରଭୁ ଆମକୁ ସୁଯୋଗ ଦେଉଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ ତ୍ୟାଗ କରିଥିବା ସମସ୍ତଙ୍କ ପାଖରେ ମୁଁ କୃତଜ୍ଞତା ଜଣାଉଛି । ଜମିଦାନ କରିଥିବା ବ୍ୟକ୍ତି, ସେବାୟତ, ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ନିର୍ମାଣ ଶ୍ରମିକ, ଶିଳ୍ପୀଙ୍କୁ ଧନ୍ୟବାଦ ଜଣାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details