ଭୁବନେଶ୍ବର: ଆର୍ଥିକ କ୍ଷେତ୍ରରେ ବର୍ତ୍ତମାନ ଓଡିଶା ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛି । ରାଜସ୍ବ ସଂଗ୍ରହ ବୃଦ୍ଧି ପାଇଥିବା ବେଳେ ଏହା ଆମ ନିଜସ୍ବ ରାଜସ୍ବ । ଅର୍ଥ ବ୍ୟବସ୍ଥାରେ ଓଡିଶା ଉଦାହରଣ ପାଲଟିଛି । ଲୋକ ବିକାଶ ଧାରାରେ ସାମିଲ ହୋଇଛନ୍ତି । ନୂଆ ଓଡ଼ିଶା ଗଠନ କରିବା ପାଇଁ ନିଷ୍ଠାର ସହ କାମ କର । ୩୨ତମ ଅର୍ଥ ସେବା ସଂଘ ସାଧାରଣ ବୈଠକକୁ ସମ୍ବୋଧିତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବୈଠକରେ ଯୋଗ ଦେଇ ରାଜ୍ୟର ଅର୍ଥନୀତିକୁ ବିକାଶ ଦିଗରେ ତ୍ଵରାନିତ୍ଵ କରୁଥିବା ଅର୍ଥ ବିଭାଗର ଅଧିକାରୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ଆର୍ଥିକ ସେବା ସଂଘ ଓଡ଼ିଶାର ସଫଳତାର ରାସ୍ତାରେ ସବୁ କ୍ଷେତ୍ରରେ ନୂଆ ଉଦାହରଣ ସୃଷ୍ଟି କରିଛି । 5T ଓ ମୋ ସରକାର ରାଜ୍ୟ ଶାସନ ଓ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଦେବାରେ ଗୁଣାତ୍ମକ ବିପ୍ଳବ ଆଣିଛି । ସବୁ କ୍ଷେତ୍ରରେ ଆମେ ରୂପାନ୍ତର ମାଇଲ ଖୁଣ୍ଟ ଛିଡା କରିଛୁ । ଏହା ସହ ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିଛି । ଲଗାତାର ଦୁଇଥର ବିଶ୍ବକପ ହକିର ଆୟୋଜନ, ମହାମାରୀର ପ୍ରଭାବଶାଳୀ ପରିଚାଳନା, ମେକ ଇନ ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣର ବିଶାଳ ସଫଳତା ଏବଂ ଅନ୍ୟାନ୍ୟ ସଫଳତା ନୂତନ ଓଡ଼ିଶାର ଉତ୍ଥାନକୁ ସୂଚିତ କରିଛି । ଆମ ରାଜ୍ୟର ସମସ୍ତ ସଫଳତାର କାହାଣୀ ହେଉଛି ଆମର ଆର୍ଥିକ ଅନୁଶାସନ, ଉତ୍ସଗୁଡ଼ିକର ପ୍ରଭାବଶାଳୀ ସଂଗ୍ରହ ଏବଂ ଉତ୍ସଗୁଡ଼ିକର ସଠିକ ଏବଂ ଯଥାର୍ଥ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଜନସାଧାରଣ ନୀତି ପ୍ରସ୍ତୁତ କରିବା ।''