ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ରାଜସ୍ଥାନ ଅଜମେର ଓ ପୁଷ୍କର ଅଭିମୁଖେ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନ । ପରିଣତ ବୟସରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବକୁ ନେଇ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା । ଭୁବନେଶ୍ବରରୁ ଏହି ତୀର୍ଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଆଉ ବରିଷ୍ଠ ନାଗରିକଙ୍କୁ ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ।
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଭୁବନେଶ୍ବର ରେଳ ଷ୍ଟେସନରୁ ତୀର୍ଥ ଲାଗି ଯାତ୍ରା ଆରମ୍ଭ କରିଛନ୍ତି । ଭୁବନେଶ୍ବରରୁ ଅଜମେର ଓ ପୁଷ୍କର ଯାତ୍ରା କରିବେ ତୀର୍ଥଯାତ୍ରୀ । ଭୁବନେଶ୍ବର ରେଳଷ୍ଟେସନରୁ ଉପସ୍ଥିତ ଅତିଥିଗଣ ପତାକା ଦେଖାଇ ତୀର୍ଥ ଯାତ୍ରାର ଆରମ୍ଭ କରିଛନ୍ତି । ରାଜ୍ୟର ୬ଟି ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରା ମାଧ୍ୟମରେ ପବିତ୍ର ଧର୍ମସ୍ଥଳୀଗୁଡିକର ପରିଦର୍ଶନ କରି ଏକ ଦିବ୍ୟ ଅନୁଭବର ଉପଲବ୍ଧି ନେଇ ଆସିବେ। ଏହା ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ୫ମ ସଂସ୍କରଣ ହୋଇଥିବା ବେଳେ ପର୍ଯ୍ୟଟନ ବିଭାଗ ଓ IRCTC ଏହି ତୀର୍ଥଯାତ୍ରାରେ ସହଯୋଗ କରିଛନ୍ତି।
ଆଜି (ମାର୍ଚ୍ଚ ୪)ରୁ ଏହି ଯାତ୍ରା ଆରମ୍ଭ ହୋଇ ୯ ମାର୍ଚ୍ଚରେ ଶେଷ ହେବ। ଆଜିର ଯାତ୍ରାରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳରୁ ଆସିଥିବା ବରିଷ୍ଠ ନାଗରିକମାନେ ସାମିଲ ହୋଇଛନ୍ତି । ଏଠାରେ ସୂଚନା ଥାଉକି ୨୦୧୪ରୁ ମୁଖ୍ୟମନ୍ତ୍ରୀ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ୧୮ ହଜାର ତୀର୍ଥଯାତ୍ରୀ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇପାରିଛନ୍ତି । ତେବେ ଧର୍ମ ଅର୍ଥ କାମ ମୋକ୍ଷ ସବୁ ଧର୍ମର ମହତ୍ତ୍ବର ଆଧାରକୁ ବହନ କରୁଥିବା ବେଳେ ପରିଣତ ବୟସରେ ଟିକିଏ ଧର୍ମ କରି ମୋକ୍ଷ ପାଇବା ପାଇଁ ସବୁ ମଣିଷର ଟିକିଏ ଆଶା ଓ ଆକାଂକ୍ଷା ରହିଥାଏ ।