ଭୁବନେଶ୍ବର: ପଞ୍ଚାୟତିରାଜ ଦିବସରେ ଅବସରରେ ଆଜି ପ୍ରତିଷ୍ଠା ହେବ ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ’ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି । ଫରେଷ୍ଟ ପାର୍କ ନିକଟରେ ଥିବା କାର୍ଯ୍ୟାଳୟର ପ୍ରଥମ ମହଲା ମରାମତି କାର୍ଯ୍ୟ ଶେଷ ହେଇଛି । ଆସନ୍ତା ୩ ମାସ ଭିତରେ ଦ୍ୱିତୀୟ ମହଲା କାର୍ଯ୍ୟ ଶେଷ ହେବ । ସେଠାରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହେବ । ଏନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।
୨୦୨୧ ଅକ୍ଟୋବରରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା । ୨୦୨୨ ଫେବୃଆରୀରେ ରାଜ୍ୟର ସୁନାମଧନ୍ୟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଏହାର ଓଏସ୍ଡି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ୨୦୨୨ ଅଗଷ୍ଟ ୧୫ରେ ଏନେଇ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ଏବେ ଫରେଷ୍ଟ ପାର୍କରେ କାର୍ଯ୍ୟ କରିବ ।
ସ୍ଥାୟୀ ପ୍ରଶାସନିକ ବିଲଡିଂ ନିର୍ମାଣ ପାଇଁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲ ପାଖରେ ୫ ଏକର ଜମି ପ୍ରଦାନ କରିଛନ୍ତି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରେ ରାଜ୍ୟର ୧୫୦ରୁ ଅଧିକ କଲେଜ ଏହା ଅଧୀନକୁ ଆସିବ । ସମସ୍ତ ଏଲୋପାଥିକ, ହୋମିଓପାଥିକ ଓ ଆୟୁର୍ବେଦିକ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଏହି ବିଶ୍ୱବିଦ୍ୟାଳୟ ପରିଚାଳନା କରିବ । ଏହା ବ୍ୟତୀତ ନର୍ସିଂ, ଫାର୍ମାସୀ, ଫିଜିଓଥେରାପି ଓ ପାରାମେଡିକାଲ ଶିକ୍ଷାନୁଷ୍ଠାନ ସବୁ ଗୋଟିଏ ଛତା ତଳେ ରହିବେ । ସବୁ କଲେଜ ଓ ପାଠ୍ୟକ୍ରମ ପାଇଁ ଏକକ ଶିକ୍ଷାନୀତି, ପରୀକ୍ଷା ହେବ । ଏଥିସହିତ ମେଡିକାଲ ଓ ପାରା ମେଡିକାଲ କ୍ଷେତ୍ରରେ ଗବେଷଣା ଉପରେ ଏହି ବିଶ୍ୱବିଦ୍ୟାଳୟ ଫୋକସ କରିବ ।