ଭୁବନେଶ୍ବର: ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ର ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଏନେଇ ଘୋଷଣା କରିଛି ବିଜୁ ଜନତା ଦଳ । ଯାହାକୁ ନେଇ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନାରୀ ଜାଗରଣ କଥା କହୁଥିବା ବିଜେଡି ସୁପ୍ରିମୋ ମଣିପୁର ଘଟଣାକୁ ସମର୍ଥନ କରୁଛନ୍ତି । ମହିଳାଙ୍କୁ ଉଲଗ୍ନ କରି ରାଜରାସ୍ତାରେ ଚଲାଇବାକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିବା ଦୁର୍ଭାଗ୍ୟଜନକ କଥା ।
ଏହାବି ପଢନ୍ତୁ- SJTA affidavit to HC: ସତ୍ୟପାଠରୁ ଜଣାପଡୁଛି ସରକାର କିଛି ଲୁଚାଉଛନ୍ତି: ନରସିଂହ ମିଶ୍ର
ନରସିଂହ କହିଛନ୍ତି, ମୁଁ ସବୁବେଳେ କୁହେ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ଵ । ବିଜେପି ଦୟାରୁ ବିଜେଡିର ଜନ୍ମ । ଲିଖିତ ଭାବରେ ମେଣ୍ଟ ନଥିଲେ ମଧ୍ୟ ସଂପର୍କ ନିବିଡ଼ । ଆଜୀବନ ସେମାନେ ଏକ ହୋଇ ଅଛନ୍ତି । ପାର୍ଲିଆମେଣ୍ଟର ସବୁ ବିଲକୁ ସମର୍ଥନ କରୁଛନ୍ତି । ବିଜେଡିକୁ ବିଜେପିର ସମର୍ଥନ ମାଗିବାର ଆବଶ୍ୟକତା ପଡ଼େନାହିଁ । ବିଜେଡି ଆଗତୁରା ସମର୍ଥନ ଦେଇଦିଏ । ଦୁର୍ଭାଗ୍ୟର କଥା ହେଲେ ବିରୋଧୀଙ୍କ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା । ମଣିପୁର ଘଟଣାକୁ ନେଇ ଆସିଥିବା ଏହି ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡି ଆଗତୁରା କହିଦେଲେ ଆମେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବୁ ନାହିଁ । ମୋଦି ସରକାରଙ୍କୁ ସମର୍ଥନ କରିବୁ ।
ମହିଳାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାତି ଫାଟିଯାଉଛି । ନାରୀ ଜାଗରଣ କଥା ନବୀନ 24 ଘଣ୍ଟା କହୁଛନ୍ତି । ନାରୀକୁ ସମ୍ମାନ କଥା କହୁଛନ୍ତି । କିନ୍ତୁ 4 ମେ ରେ ମଣିପୁରରେ ଯାହା ଘଟିଗଲା ତାକୁ ସେ ସମର୍ଥନ କରୁଛନ୍ତି । ମହିଳାଙ୍କୁ ଉଲଗ୍ନ କରି ରାଜରାସ୍ତାରେ ଚଲାଗଲା, ତାକୁ ଓଡିଶାର ମୁଖ୍ୟମନ୍ତ୍ରୀ ଯିଏକି ବିଜେଡି ସଭାପତି ସମର୍ଥନ କରୁଛନ୍ତି । ମହିଳାଙ୍କୁ ଗଣଦୁଷ୍କର୍ମକୁ ସେ ସମର୍ଥନ କରୁଛନ୍ତି । ବାରମ୍ବାର ସୁପ୍ରିମକୋର୍ଟ ଟିପ୍ପଣୀ ଦେଉଛନ୍ତି ଏଭଳି ଜଘନ୍ୟ ଘଟଣା କେଉଁଠି କେବେ ଘଟିନଥିଲା । ଏହା ଏକ ଅସାଧାରଣ ଘଟଣା । ସମ୍ବିଧାନର ଉଲଂଘନ ହେଉଛି । ସମ୍ବିଧାନ ଅଚଳ ହୋଇଯାଇଛି । ଆଇନର ଶାସନ ବୋଲି କିଛି ନାହିଁ । ବ୍ୟକ୍ତିଗତ ହାଜର ପାଇଁ ମଣିପୁର ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।