ଭୁବନେଶ୍ବର: ଆସନ୍ତା ବର୍ଷ ମାର୍ଚ୍ଚ ୧ ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା (CHSE Plus Two Exam to be held on 1st March) । କଳା, ବାଣିଜ୍ୟ ଓ ବିଜ୍ଞାନ ପାଇଁ ଜାରି ହେଲା ସୂଚୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବା ନେଇ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ ପାଇଛି ।
ଆସନ୍ତା ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଏପଟେ ଫେବୃଆରୀ ୧ ତାରିଖରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା । ତେବେ ଥିଓରୀ ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୯ ଦିନ ଧରି ଚାଲିବ ଥିଓରୀ ପରୀକ୍ଷା । ଅନ୍ୟପଟେ ଫେବୃଆରୀ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ହେବ ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା । ସମସ୍ତ ପରୀକ୍ଷା ସକାଳ ୧୦ଟା ସମୟରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏହି ପରୀକ୍ଷାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଦିନ ବିଜ୍ଞାନ ବିଭାଗର ଓଡ଼ିଆ ବିଷୟ ରହିଥିବା ବେଳେ ଦ୍ଵିତୀୟ ଦିନରେ ରହିଛି କଳା ଓ ବାଣିଜ୍ୟ ବିଭାଗର ଓଡ଼ିଆ ବିଷୟ ।
ଏହା ବି ପଢନ୍ତୁ- BDA କାର୍ଯ୍ୟାଳୟ ଘେରାଉ କଲା ଉଠାଦୋକାନୀ ମହାସଂଘ
ପ୍ରାର୍ଥୀମାନେ ପରୀକ୍ଷା ଆରମ୍ଭର ୩୦ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ପରୀକ୍ଷାରେ ପ୍ରବେଶ କରିବା ୧୫ ମିନିଟ୍ ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ସିଟ୍ ଦଖଲ କରିବାକୁ ହେବ। ସିସିଟିଭି ଅଧୀନରେ ରହିବ ସମ୍ପୂର୍ଣ ଭାବରେ ପରୀକ୍ଷା କେନ୍ଦ୍ର । ସମସ୍ତ ସିସିଟିଭି କାର୍ଯ୍ୟକ୍ଷମ ହେଉଥିବା ଆବଶ୍ୟକ। ସୂଚନା ଅନୁଯାୟୀ, ମୋଟ ଆକାରରେ ୨ ଲକ୍ଷ ୩୨ ହଜାର ୬୪୪ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବିଜ୍ଞାନରେ ୯୩ ହଜାର ୭୩୦ ଓ ସେହିପରି ବାଣିଜ୍ୟରେ ୨୪ ହଜାର ୨୪୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୨୯।
ତେବେ ମୋଟ ୩ ଲକ୍ଷ ୫୬ ହଜାର ୪୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରୁ ଅଛନ୍ତି ରେଗୁଲାରରେ ୩ଲକ୍ଷ ୩୮ ହଜାର ୭୪୭, ଏକ୍ସ-ରେଗୁଲାରରେ ୧୭ ହଜାର ୭୦୨ ଜଣ। ତେବେ ମୋଟ ରେଜିଷ୍ଟ୍ରେସନ କରିଛନ୍ତି ୩ଲକ୍ଷ ୭୫ ହଜାର ୮୬୬ ଜଣ ଛାତ୍ରଛାତ୍ରୀ । ମାର୍ଚ୍ଚ ୧ ତାରିଖ ୨୦୨୩ ବୁଧବାର ଦିନ ସକାଳ ୧୦ଟାରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ମାତୃଭାଷା ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷାର ସମୟ ସୀମା ୨ଘଣ୍ଟା ରହିବ । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପରୀକ୍ଷା ଗୋଟିଏ ଦିନରେ ହେବ । ସେହିପରି ୨ ତାରିଖରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ମାତୃଭାଷା ପରୀକ୍ଷା ହେବ । ସେହିପରି ୩ ତାରିଖରେ ବିଜ୍ଞାନ ଓ ଭୋକେସନାଲ ଛାତ୍ରଛାତ୍ରୀଙ୍କ ଇଂରାଜୀ ପରୀକ୍ଷା ହେବାକୁ ଥିବା ବେଳେ ୪ ତାରିଖରେ କଳା, ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଇଂରାଜୀ ପରୀକ୍ଷା ହେବ ।
ଇଟିଭି ଭାରତ, ଭୁବନେଶ୍ବର