ଭୁବନେଶ୍ବର: ଆସନ୍ତା 10 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ । ଉଭୟ ଅନଲାଇନ ଓ ଅଫଲାଇନରେ ଦେଖାଯିବ ଖାତା । ଅଫଲାଇନରେ ମୂଲ୍ୟାଙ୍କନ ଏପ୍ରିଲ ୨୨ ଏବଂ ଅନଲାଇନ ଖାତାଦେଖା ଏପ୍ରିଲ ୨୩ରେ ଶେଷ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଖାତା ଦେଖା ସମୟରେ ମୋବାଇଲ ମନା କରାଯାଇଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିବା ବେଳେ ଯାହା ଏପ୍ରିଲ ୫ ତାରିଖରେ ଶେଷ ହେବ । ଏହାପରେ ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ ଖାତାଦେଖା ପ୍ରକ୍ରିୟା । ଉଭୟ ଅନଲାଇନ ଓ ଅଫଲାଇନରେ ଦେଖାଯିବ ଖାତା । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଫଲାଇନ ଖାତାଦେଖା ଏପ୍ରିଲ ୨୩ ରୁ ଆରମ୍ଭ ହୋଇ ମେ’୪ ତାରିଖ ଏବଂ ଅନଲାଇନ ଖାତାଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ଅଫଲାଇନ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଛି । ଏଥିରେ ୩୯ଟି ଅନଲାଇନ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହେବ । ଦୁଇଟି ପର୍ଯ୍ୟାୟରେ ଖାତାଦେଖା ଶେଷ ହେବା ପରେ ମଇ ମାସ ଶେଷ ଓ ଜୁନ ମାସ ଆରମ୍ଭରୁ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।
ସୂଚନା ଅନୁସାରେ, ଅଫଲାଇନ କେନ୍ଦ୍ର ଗୁଡ଼ିକରେ ସକାଳ ୧୦ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖାତାଦେଖା ହେବ । ମାତ୍ର ଅନଲାଇନ ଖାତାଦେଖା ପାଇଁ ୨ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ । ଅଫଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ୨ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ବାରା ଯାଞ୍ଚ କରାଯିବ । ଯେପରି ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନରୁହେ ସେଥିପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ହୋଇଛି।