ଖୋର୍ଦ୍ଧା:ଚିଲିକାକୁ ଲାଗିଛି ଗ୍ରହଣ । ପରିବେଶଗତ ସଙ୍କଟ ସହ ଲଢ଼େଇ କରୁଛି ଚିଲିକାରାଣୀ । ପ୍ରବାସୀ ପକ୍ଷୀମାନଙ୍କ ପାଇଁ ସବୁଠାରୁ ବଡ ଶୀତକାଳୀନ ବାସସ୍ଥାନ ଚିଲିକା । ଚିଲିକାରେ ଶୀତଦିନ ବିତାଇବା ପାଇଁ ବିଦେଶୀ ପକ୍ଷୀମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଏଠାକୁ ଆସନ୍ତି । ବିରଳ ପ୍ରଜାତି ବା ସଙ୍କଟାପନ୍ନ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀଙ୍କୁ ନିଜ ଛାତିରେ ସଜେଇ ରଖିଛି ଚିଲିକାରାଣୀ । ଚିଲିକାର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଟାଣି ହୋଇ ଆସନ୍ତି ପର୍ଯ୍ୟଟକ ।
ହେଲେ ଏବେ ଚଲିକା ଉପରେ ରାଜଦଳର ନଜର ପଡ଼ିଛି । ଏହି ବିଶାଳ ଲବଣ ହ୍ରଦରେ ରାଜଦଳ ବୃଦ୍ଧି ଯୋଗୁଁ ଧିରେଧିରେ ଗର୍ଭ ଓ ମୁହାଣ ପୋତି ହେବାରେ ଲାଗିଛି । ଏହି ରାଜଦଳ ହିଁ ପାଲଟିଛି ଚିଲିକାର ବଡ଼ ଦୁଃଖ । ସମସ୍ୟା ଲାଗି ରହିଲେ ଚିଲିକା ନିଜ ପରିଚୟ ହରାଇବା ସହ ବିପନ୍ନ ହୋଇ ପଡିବେ ଲକ୍ଷାଧିକ ମସ୍ୟଜୀବୀ ପରିବାର ।
ସମୟ ବଦଳିବା ସହ ଚିଲିକା ଏବେ ରୋଗାକ୍ରାନ୍ତ କହିଲେ ଭୁଲ୍ ହେବନି । ବିଶାଳ ହ୍ରଦ ଉପରେ ଯୁଆଡ଼େ ଆଖି ବୁଲାଇ ଚାହିଁଲେ ମୁଣ୍ଡ ଉଚ୍ଚ ଦଳ ଆଖିରେ ପଡ଼ୁଛି । ବୈଜ୍ଞାନିକଙ୍କ ମତରେ ଦଳ ପଚିଲେ ମିଥେନ ଗ୍ୟାସ ସୃଷ୍ଟି କରେ, ଯାହା ମାଛଙ୍କ ଖାଦ୍ୟ ନଷ୍ଟ କରେ । ଏହି ରାଜଦଳ ପାଇଁ ବହୁ ବିରଳ ପ୍ରଜାତିର ମାଛ ବଂଶ ଏବେ ଲୋପ ପାଇଥିବା ବେଳେ ସରକାରଙ୍କ କିନ୍ତୁ ଏଥିପ୍ରତି ଚିନ୍ତା ନାହିଁ ।