ଖୋର୍ଦ୍ଧା:ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ତା ସାଙ୍ଗକୁ ଶୁଖୁଆ ଭଜା, ଲୁଣ, ଲଙ୍କା, ଦୁଇ କୋଲା ରସୁଣ ମିଳିଗଲେ ଉଠିଯାଏ କଂସାଏ ଭାତ ଖାଇବାର ମଜା । ଖାଲି ଓଡ଼ିଶା ନୁହେଁ , ଏହି ପାରମ୍ପରିକ ଓଡ଼ିଶାର ଶୁଖୁଆ ବାସ୍ନାରେ ଏବେ ମହକୁଛି ଉତ୍ତର ପୂର୍ବ ରାଜ୍ୟର ହାଣ୍ଡିଶାଳ । ଆସାମ , ମଣିପୁର , ନାଗାଲାଣ୍ଡ ବାସିନ୍ଦାଙ୍କ ରୁଚିକୁ ଜାଣି ବାହାର ରାଜ୍ୟର ବ୍ୟବସାୟୀ ଶୁଖୁଆ ପ୍ରକ୍ରିୟାକରଣ କରି ମାଲାମାଲ ହେଉଛନ୍ତି । ରାଜ୍ୟରେ ଶୁଖୁଆ ଉତ୍ପାଦନରେ ସୁନାମ ଅର୍ଜିଛି ପାରାଦୀପ, ରମ୍ଭା, ଚିଲିକା ତଟବର୍ତ୍ତୀ ଅଞ୍ଚଳ । ଏହାକୁ ମାଧ୍ୟମ କରି ହଜାର ହଜାର ମତ୍ସ୍ୟଜୀବୀ ପରିବାର ମେଣ୍ଟାଇ ଥାଆନ୍ତି।
ବିଦେଶରେ ଚିଲିକା ଚିଙ୍ଗୁଡ଼ି , କଙ୍କଡ଼ାର ଯେମିତି ଆଦର ରହିଛି , ଠିକ ସେମିତି କେରାଣ୍ଡି , ତୋଡ଼ି , ଗଡ଼ିଶା ମାଛରୁ ପ୍ରସ୍ତୁତ ଶୁଖୁଆକୁ ବେଶ ପସନ୍ଦ କରୁଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ବାସ କରୁଥିବା ପାହାଡ଼ିଆ ଲୋକେ । ସବୁଠାରୁ ବଡ଼ କଥା ହେଲା ଆସାମକୁ ରପ୍ତାନି ହେଉଥିବା ଚିଲିକା ଶୁଖୁଆକୁ କୌଣସି ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରସ୍ତୁତ କରୁନାହାନ୍ତି ବରଂ ସେଠାକାର ବେପାରୀ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ପ୍ରସ୍ତୁତ କରିବା ପରେ ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟକୁ ରପ୍ତାନି କରୁଛନ୍ତି । ଏହାଦ୍ଵାରା ସ୍ଥାନୀୟ ଅଞ୍ଚଳର ହାତଗଣତି ମତ୍ସ୍ୟଜୀବୀ ବି ଉପକୃତ ହେଉଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଠାରେ ଶୁଖୁଆ ପ୍ରସ୍ତୁତ କରୁଥିବା ବ୍ୟବସାୟୀ ଗୌହାଟୀର ଲକ୍ଷ୍ମଣ ବର୍ମନଙ୍କ କହିବା ଅନୁଯାଇ ଚିଲିକାର କେରାଣ୍ଡି, ତୋଡ଼ି, ଗଡ଼ିଶା ଭଳି ମାଛର ଚାହିଦା ସ୍ଥାନୀୟ ବଜାରରେ ନାହିଁ । ହେଲେ ନିୟମିତ ମାଛ ପାଇବାରୁ ବଞ୍ଚିତ ଭାରତର ପୂର୍ବାଞ୍ଚଳ ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ଲୋକେ ଶୁଖୁଆକୁ ବିକଳ୍ପ ଖାଦ୍ୟ ଭାବେ ଖାଇଥାନ୍ତି । ଶୁଖୁଆ ଉତ୍ପାଦନ ସମ୍ପର୍କରେ ଲକ୍ଷ୍ମଣ କହିଛନ୍ତି, ସେ ଟାଙ୍ଗୀରେ ଦୁଇ ଏକର ଜମି ଭଡ଼ାସୂତ୍ରରେ ନେଇଛନ୍ତି । ସେଠାରେ ପାଞ୍ଚ ପ୍ରକାର ମାଛରୁ ଶୁଖୁଆ ପ୍ରସ୍ତୁତ କରୁଛନ୍ତି । ଏହାକୁ ଟ୍ରେନ୍ରେ ଆସାମ ପଠାଉଛନ୍ତି ।